କାର୍ତ୍ତିକ ବ୍ରତ ପାଇଁ ପଞ୍ଜୀକରଣ ଆରମ୍ଭ

ସରକାରୀ ବ୍ୟବସ୍ଥାରେ ଶ୍ରୀକ୍ଷେତ୍ରରେ ରହି ହବିଷ ବ୍ରତ ପାଳନ ପାଇଁ ମଙ୍ଗଳବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସଞ୍ଚାର (ଅନ୍‌ଲାଇନ୍‌) ମାଧ୍ୟମରେ ୭୧ଜଣ ହବିଷ୍ୟାଳି ଦରଖାସ୍ତ କରିଛନ୍ତି। ୨୯ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ପଞ୍ଜିକୃତ ହବିଷ୍ୟାଳିଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ କୋଠରି ଏବଂ ମହାପ୍ରସାଦ ଯୋଗାଇ ଦିଆଯିବ। ଏଥିପାଇଁ ନରେନ୍ଦ୍ର କୋଣ ବୃନ୍ଦାବତୀ ନିବାସ ସମେତ ବଗଲା ଧର୍ମଶାଳା, ପୁରୁଣା ମହିଳା କଲେଜ କୋଠା, ମୋଚିସାହି କଲ୍ୟାଣ ମଣ୍ଡପ ଏବଂ ବାଗେଡ଼ିଆ ଧର୍ମଶାଳାରେ ଆବଶ୍ୟକ ବ୍ୟବସ୍ଥା କରାଯିବ।

ହବିଷ୍ୟାଳିଙ୍କୁ ସୁରକ୍ଷା ମଧ୍ୟରେ ଶ୍ରୀଜଗନ୍ନାଥ ଦର୍ଶନ ବ୍ୟବସ୍ଥା କରାଯିବ। ଏହାଛଡ଼ା ହବିଷ୍ୟାଳି ଶିବିରଗୁଡ଼ିକରେ ରାଧା ଦାମୋଦର ପୂଜା, ଚଉରା ପୂଜା, ଆକାଶ ଦୀପ ସମେତ କାର୍ତ୍ତିକ ପୁରାଣ ପାଠ ଓ ପ୍ରବଚନ ଆୟୋଜନ କରାଯିବ। ଶିବିରଗୁଡ଼ିକରେ ଆଶୁ ଚିକିତ୍ସା, ସୁରକ୍ଷା, ପାନୀୟଜଳ ଯୋଗାଣ ଏବଂ ଅଗ୍ନିଶମ ବ୍ୟବସ୍ଥା ପାଇଁ ନିର୍ଦେଶ ଦିଆଯାଇଛି। ସଞ୍ଚାର ମାଧ୍ୟମରେ ଚଳିତ ମାସ ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯାଉଛି। ଏତଦ୍‌ବ୍ୟତୀତ ନିଜ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ହବିଷ୍ୟାଳିମାନେ ଏଥିପାଇଁ ଆବେଦନ କରିପାରିବେ।

Related Articles

Back to top button