
ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଜୀକରଣ
ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଶନିବାରଠାରୁ ଆବେଦନ ପତ୍ର ପ୍ରଦାନ ଆରମ୍ଭ ହୋଇଛି। ଆବେଦନ ପତ୍ର ସମ୍ପୂର୍ଣ୍ଣ ମାଗଣା ଏବଂ ଦେୟ ମୁକ୍ତ। ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହିତ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟ କରୁଥିବା ସହାୟିକା , ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ , ଏମବିକେ ଓ କମ୍ୟୁନିଟି ରିସୋର୍ସ ପର୍ସନ ମଧ୍ୟ ଏହି ଯୋଜନାରେ ସହାୟତା ପାଇଁ ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୪୬୭୮ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଓଡିଶାର ଏକ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।