ବିଶିଷ୍ଟ ସଂଗୀତଜ୍ଞ ମିହିର ଦାସଙ୍କ ପରଲୋକ
ବାରିପଦା: ବିଶିଷ୍ଟ ସଂଗୀତଜ୍ଞ ମିହିର ଦାସ(୭୦)ଙ୍କର ଗୁରୁବାର ମୟୂରଭଞ୍ଜ ଜିଲା ବାରିପଦାର ପୁରୁଣା ହାଟସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଏକଧାରାରେ ସୁନାମଧନ୍ୟ ସଂଗୀତଜ୍ଞ, ସଂଯୋଜକ ଭାବେ ପରିଚିତ ଥିଲେ। ଆକାଶବାଣୀ ସହିତ ମଧ୍ୟ ଜଡିତ ଥିଲେ। ପ୍ରାୟ ୩୦ବର୍ଷ ରାଉରକେଲାରେ ବିତାଇ ଥିବା ବେଳେ ସେଠାକାର ସଙ୍ଗୀତ ଦୁନିଆରେ ଜଣାଶୁଣା କଳାକାର ଭାବେ ପରିଚିତ ଥିଲେ। ପରବର୍ତ୍ତୀ ସମୟରେ ସେ ଜନ୍ମମାଟି ବାରିପଦା ଫେରିଆସିି ସଙ୍ଗୀତ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଭଞ୍ଜମାଟିର ସଙ୍ଗୀତଜ୍ଞ ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକଙ୍କ ପରେ ସେ ବେଶ ପରିଚିତ ଥିଲେ। ଓଡ଼ିଆ ଚଳଚ୍ଚିତ୍ର ଝିଅଟି ସୀତା ପରି, ମୋ ମନ ଖାଲି ତୋରି ପାଇଁରେ କଣ୍ଠଦାନ କରିଛନ୍ତି। ମୟୂରଭଞ୍ଜ ଛଉନୃତ୍ୟ ପ୍ରତି ମଧ୍ୟ ତାଙ୍କର ଅବଦାନ ଥିଲା। ଛଉ ବାଦ୍ୟ ନିର୍ଦ୍ଦେଶକ ଭାବେ ଦିଲ୍ଲୀରେ ଦୀର୍ଘ ଦିନ ଧରି ସେ କାର୍ଯ୍ୟ କରିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଶୋକବ୍ୟକ୍ତ କରିଛନ୍ତି।