ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ।
ଆସନ୍ତାକାଲି ବଡ଼ ଦିନ ଆଉ ଏହାପରେ ନୂଆବର୍ଷ। ଏମିତି ବି ପୁରୀରେ ବର୍ଷ ତମାମ ଭିଡ ଲାଗିରହୁଥିବା ବେଳେ, ବର୍ଷ ଶେଷରେ ଛୁଟିକାଟିବା ସହ ମହାପ୍ରଭୁଙ୍କ ଦର୍ଶନରୁ ନୂଆ ବର୍ଷ ଆରମ୍ଭ କରିବାକୁ ପୁରୀରେ ଭିଡ଼ ଆରମ୍ଭ ହୋଇଗଲାଣି। ଆଗକୁ ଗହଳି ଆହୁରି ବଢିବ। ଏଥର ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ତେଣୁ ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ତଥା ଶ୍ରଦ୍ଧାଳୁଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯିବା ଉଦ୍ଦେଶ୍ୟରେ ଡିସେମ୍ବର ୨୫ ଅର୍ଥାତ୍ ବୁଧବାରଠାରୁ ଆସନ୍ତା ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ଏହି ୯ ଦିନ ପରେ ପୁଣି ଜାନୁୟାରୀ ୩ ତାରିଖଠାରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।