ରାଜ୍ୟର ରାଜସ୍ବ ଆଦାୟ ୫.୬% ଅଭିବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ(୨୦୨୨-୨୩)ର ତୃତୀୟ ୩ ମାସରେ ରାଜ୍ୟର ଆର୍ଥିକ ସ୍ଥିତି ପ୍ରଗତିଶୀଳ ରହିଛି। ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ବ ଆଦାୟ ୧,୦୧,୧୧୯ କୋଟିକୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଅନୁଦାନ ୨୧% ହ୍ରାସ ସତ୍ତ୍ୱେ ରାଜ୍ୟର ରାଜସ୍ବ ଅଭିବୃଦ୍ଧି ୫.୬ ପ୍ରତିଶତ ହୋଇଛି। ଡିସେମ୍ବର ଶେଷ ସୁଦ୍ଧା ୩୨,୦୨୯ କୋଟି ଟଙ୍କା ନିଜସ୍ବ ରାଜସ୍ବ ଆଦାୟ କରାଯାଇଛି। ଗତବର୍ଷ ତୁଳନାରେ ଏହା ୧୩.୫୧ ପ୍ରତିଶତ ଅଧିକ ରହିଛି। ଗତବର୍ଷ ଏହି ସମୟ ସୁଦ୍ଧା ୨୮,୨୧୬ କୋଟି ଟଙ୍କା ଆଦାୟ ହୋଇଥିଲା। ଚଳିତ ଆର୍ଥିକ ବର୍ଷ ଅଣଟିକସ କ୍ଷେତ୍ରରେ ୧.୧୭ ପ୍ରତିଶତ ବୃଦ୍ଧି ହୋଇଛି। ଅଣଟିକସ କ୍ଷେତ୍ରରୁ ୬୩,୫୨୩ କୋଟି ଟଙ୍କା ଆଦାୟ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ଶେଷ ସୁଦ୍ଧା ବଜେଟ ଅର୍ଥ ବିନିଯୋଗ ୨.୨୬ ପ୍ରତିଶତ ବୃଦ୍ଧିପାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଭିତ୍ତିଭୂମି, ସାମାଜିକ କ୍ଷେତ୍ରରେ ବଜେଟ ଖର୍ଚ୍ଚ ବୃଦ୍ଧି ପାଇଛି। ବ୍ୟାଙ୍କରେ ଅର୍ଥ ଗଚ୍ଛିତ ନ ରଖି ବଜେଟ ଅର୍ଥ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ ଖର୍ଚ୍ଚରେ ସ୍ବଚ୍ଛତା ପାଇଁ ଆନ୍ତଃବିଭାଗୀୟ ଅଡିଟ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣପତ୍ର(ୟୁସି) ପ୍ରଦାନ କରିବା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ବିଷୟକୁ ୫-ଟି ପାରାମିଟରରେ ପରିଚାଳନା କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ସମସ୍ତ ବିଭାଗର ପ୍ରମୁଖ ସଚିବ, ସଚିବ ଓ ସ୍ବତନ୍ତ୍ର ସଚିବମାନେ ଯୋଗ ଦେଇଥିଲେ।

Related Articles

Back to top button