
କୋଟିଆ ବିବାଦ ସମାଧାନ ପାଇଁ ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
କୋରାପୁଟ ଜିଲ୍ଲାର କୋଟିଆକୁ ନେଇ ଦୀର୍ଘ ଦିନରୁ ଓଡ଼ିଶା ଏବଂ ଆନ୍ଧ୍ର ଭିତରେ ବିବାଦ ଲାଗି ରହିଛି । ଏହି ବିବାଦକୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି । ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଟିଆ ପାଇଁ ଗଠନ ହୋଇଥିବା ୧୬ ଜଣିଆ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଟିଆରେ ଦଣ୍ଡାୟମାନ ହୋଇଥିବା ବିଭିନ୍ନ ସମସ୍ୟାର ସମାଧାନ, ସେଠାରେ ବାସ କରୁଥିବା ବାସୀମାନଙ୍କ ପାଖରେ କିପରି ରାଜ୍ୟ ସରକାରଙ୍କ ସମସ୍ତ ଉନୟନ୍ନମୂଳକ ଯୋଜନା ପହଞ୍ଚିପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।କୋଟିଆ ପାଇଁ ଏକ ସ୍ୱତନ୍ତ୍ର ରୋଡ ମ୍ୟାପ୍ ପ୍ରସ୍ତୁତ କରାଯିବ । କୋଟିଆ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ । ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗକୁ ମାସେ ମଧ୍ୟରେ ନିଜ ନିଜ ବିଭାଗର ରୋଡମ୍ୟାପ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହି ୧୬ ଜଣିଆ କମିଟିରେ ରାଜସ୍ବ ମନ୍ତ୍ରୀଙ୍କ ସମେତ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ଆର୍ଡିସି, ଦକ୍ଷିଣ ପଶ୍ଚିମ ରେଞ୍ଜ୍ ଡିଆଇଜି, କୋରାପୁଟ ଜିଲ୍ଲାପାଳ ଏବଂ ଏସ୍ପି ରହିଛନ୍ତି।