
ରାଜଭବନ ପରିସରରୁ ୩ଟି ଚନ୍ଦନ ଗଛ ଚୋରି
ଭୁବନେଶ୍ବର : ରାଜଭବନ ପରିସରରୁ ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚୋରୀ କିପରି ହେଲା ତାହା ଏବେ ସନ୍ଦେହ ଘେରରେ। ଏନେଇ ରାଜଭବନର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ ରାଜଭବନ ପରିସରରୁ ୩ଟି ଚନ୍ଦନ ଗଛ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ତେବେ ଆସନ୍ତା ୧୦ ତାରିଖରେ ରାଜଭବନରେ ରାଷ୍ଟ୍ରପତି ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଏହି ଚୋରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ୫ ତାରିଖରେ ଓଡ଼ିଶା ଫେରିବେ । ତାଙ୍କ ଅନୁପସ୍ଥିତିରେ ରାଜଭବନରେ ଥିବା ୨ଟି ଗଛ ଓ ସେହି ପରିସରରେ ରହୁଥିବା ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ପାଇଁ ଉଦ୍ଦିଷ୍ଟ ବାସଭବନ ପରିସରରୁ ବି ଗୋଟିଏ ଚନ୍ଦନ ଗଛ ଚୋରି ହେବା ରାଜଭବନର ସୁରକ୍ଷା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ତେବେ ପ୍ରଶ୍ନ ଉଠୁଛି, ରାଜଭବନ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୩ଶହ ପୁଲିସ୍ କର୍ମୀ, ସିସିଟିଭି ରହିଥିବା ସତ୍ତ୍ବେ ଚନ୍ଦନ ଗଛ କାଟିକି ନେବା ଅସମ୍ଭବ। ତେବେ ସେଠାରୁ ଦୁର୍ବୃତ୍ତମାନେ କିଭଳି ଚୋରି କଲେ ତାହା ଅନୁସନ୍ଧାନ କରିବା ଉଚିତ୍ ।