ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଆସିଛି ବଡ଼ ଖବର । ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ମିଳିଛି ଜାମିନ । ଖଣ୍ଡଗିରି ମାମଲାରେ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ମିଳିଥିଲା ଜାମିନ । ୩ଟି ମାମଲାରୁ ୨ଟି ମାମଲାରେ ମିଳିଲା ଜାମିନ ।

ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଅନେକ ଜଣାଶୁଣା ତଥା ବଡ଼ବଡିଆଙ୍କୁ ତାଙ୍କ ହନିଟ୍ରାପ୍ ଜାଲରେ ଛନ୍ଦି ବ୍ଲାକମେଲ କରୁଥିବା ନେଇ ଅଭିଯୋଗ ଆସିଥିଲା । ପରେ ଘଟଣାର ତଦନ୍ତ ହୋଇଥିଲା । ରାଜ୍ୟର ଚର୍ଚ୍ଚିତ ଖବର ଭାବରେ ଏହା ଲୋକଙ୍କ ଆଲୋଚନାର ବିଷୟ ପାଲଟିଲା । ମାମଲାରେ ଅନେକ ରାଜନେତା, ବ୍ୟବସାୟୀ ଓ ସିନେ ଜଗତର ବ୍ୟକ୍ତିବିଶେଷ ସମୃକ୍ତ ଥିବାନେଇ ଅଭିଯୋଗ ଆସିଥିଲା । ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତାଙ୍କ ସହ ଅର୍ଚ୍ଚନା ଓ ଜଗବନ୍ଧୁ ଫଟୋ ଉଠାଇଥିଲେ । ତାହା ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା ।

ଏପରି କି ବିଧାନସଭା ଭିତରେ ମଧ୍ୟ ଫଟୋ ଭାଇରାଲ୍ ହୋଇଥିଲା । ଯାହା ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତିକୁ ପଦାରେ ପକାଇଥିଲା । ଅନେକ ଜଣ ପୋଲିସ ତଦନ୍ତ ପରିସରକୁ ମଧ୍ୟ ଆସିଥିଲେ । ଘଟଣାକୁ ନେଇ ରାଜନୈତିକ ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା । ବିରୋଧୀ କଂଗ୍ରେସ ଓ ବିଜେପି ବିଧାନସଭାରେ ମଧ୍ୟ ଏହି ପ୍ରସଂଙ୍ଗ ଉଠାଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, ଅର୍ଚ୍ଚନା ଗଙ୍ଗାରେ ଅନେକ ବଡ଼ବଡ଼ିଆ ବୁଡ଼ ପକାଇଛନ୍ତି । ତାରାଙ୍କ ଏହି ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ବିରୋଧୀ ଓ ଶାସକ ଦଳ ପରସ୍ପର ଦୋଷ ଲଦାଲଦି ହୋଇଥିଲେ ।

ଅର୍ଚ୍ଚନାଙ୍କ ଘର, ଗାଡି, ଟଙ୍କା, ସୁନା ଗହଣା ସମେତ ଆହୁରୀ ଅନେକ ଜିନିଷକୁ ଜବତ କରାଯାଇଥିଲା । ଅର୍ଚ୍ଚନାଙ୍କ ଭଦ୍ରକ ସ୍ଥିତ ଘରେ ମଧ୍ୟ ପୋଲିସ ଅଧିକାରୀ ପହଞ୍ଚିଥିଲେ । ଅର୍ଚ୍ଚନା ଅଳ୍ପ କେତେଟା ବର୍ଷ ମଧ୍ୟରେ କିପରି ଏତେ ଟଙ୍କାର ମାଲିକାଣୀ ହେଲେ ତାହାକୁ ନେଇ ବିଭିନ୍ନ ଆଧାରରେ ତଦନ୍ତ ଚାଲିବା ପରେ ଅର୍ଚ୍ଚନାଙ୍କୁ ଜେଲ୍ ଯିବାକୁ ପଡିଥିଲା । କିଛିଦିନ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଜାମିନ୍ ମିଳିଥିଲା । ତେବେ ଆଜି ଅର୍ଚ୍ଚନାଙ୍କୁ ଆଉ ଗୋଟିଏ ମାମଲାରେ ଜାମିନ ମିଳିଛି ।

 

 

Related Articles

Back to top button