ରାଜଗାଙ୍ଗପୁରର ସ୍କୁଟି ଚାଳକଙ୍କୁ ସିଟ ବେଲ୍ଟ ନ ପିନ୍ଧିଥିବା ଦର୍ଶାଇ କଟିଲା ଚାଲାଣ

ରାଉରକେଲା: ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଜଣେ ସ୍କୁଟି ଚାଳକଙ୍କ ଚାଲାଣ କଟିଛି।  ରାଜଗାଙ୍ଗପୁରର ଜଣେ ସ୍କୁଟି ଚାଳକ ତଥା ସ୍କୁଟି ମାଲିକ ଅଭିଶେକ କରଙ୍କ ନାଁରେ ଏପରି ଚାଲାଣ କଟିଛି। ଯାହାକୁ ନେଇ ସେ ଏବେ ଚିନ୍ତାରେ।

ମିଳିଥିବା ସୂଚନା ଅନୁଯାୟୀ, ସିଟ୍ ବେଲ୍ଟ ନ ପିନ୍ଧିବାରୁ ମାଲିକଙ୍କୁ ଏକ ହଜାର ଟଙ୍କା ଜରିମାନା କରାଯାଇଛି। ସେ କହିଛନ୍ତି, ତାଙ୍କ ମୋବାଇଲକୁ ଏକ ଏସ୍ଏମ୍ଏସ୍ ଆସିଥିଲା, ଯେଉଁଥିରେ ତାଙ୍କ ସ୍କୁଟି କିଛି ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁ ଚାଲାଣ କଟାଯାଇଥିବା ଉଲ୍ଲେଖ ଥିଲା। ଯେତେବେଳେ ସେ ଏ ବାବଦରେ ଅନୁଧ୍ୟାନ କରିଥିଲେ ପରେ ଜାଣିବାକୁ ପାଇଥିଲେ ସିଟ୍ ବେଲ୍ଟ ନ ପିନ୍ଧିଥିବାରୁ ତାଙ୍କୁ ଏକ ହଜାର ଟଙ୍କା ଜରିମାନା କରାଯାଇଛି।

ଚାଲାଣର ଅଧିକ ଯାଞ୍ଚ କରିବା ପରେ ଅଧିକ ଜାଣିବାକୁ ପାଇଥିଲେ ଯେ, ଯେଉଁ ଫଟୋ ଲଗାଯାଇଛି ତାହା ଅନ୍ୟ ଜଣଙ୍କର। ଦୁଇ ଚକିଆ ଯାନରେ ସିଟ୍ ବେଲ୍ଟ ନ ପିନ୍ଧିବା କିମ୍ବା କାରରେ ହେଲମେଟ୍ ନ ପିନ୍ଧିବା ପାଇଁ ଜଣେ ବ୍ୟକ୍ତିଙ୍କୁ କେମିତି ଜରିମାନା ଦେବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦିଓ ସଫ୍ଟଓ୍ୱୟାର ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଥାଏ, ତଥାପି ଏଭଳି ସମସ୍ୟା ନିଶ୍ଚିତ ଭାବେ ଚିନ୍ତାର ବିଷୟ।

ଏହି ଘଟଣା ପରେ ଅଭିଶେକ କର ଝାରସୁଗୁଡ଼ା ଏମଭିଆଇ ଓ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏଯାଏଁ ତାଙ୍କ ପାଖକୁ କୌଣସି ଚିଠି ଆସିନାହିଁ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ମାନବୀୟ ତ୍ରୁଟି ହୋଇପାରେ; କିନ୍ତୁ ସଫ୍ଟଓ୍ୱୟେରରେ ଥିବା ସମସ୍ତ ସମସ୍ୟାକୁ କର୍ତ୍ତୃପକ୍ଷ ବ୍ୟବସ୍ଥିତ କରିବା ଉଚିତ। ଫେବ୍ରୁଆରି 10ରେ ଚାଲାଣ କଟାଯାଇଥିବା ବେଳେ ଫେବ୍ରୁଆରି 17ରେ ତାଙ୍କୁ ସୂଚନା ମିଳିଛି। ସାତ ଦିନ ମଧ୍ୟରେ ଚାଲାଣର ଅର୍ଥ ଜମା କରିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।

Related Articles

Back to top button