
ଯାଜପୁର ଏସ୍ଏଚ୍ଜି ସଦସ୍ୟା ସଲିଳା ଜେନାଙ୍କୁ ‘ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ-୨୦୨୩’ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଯାଜପୁର ଜିଲ୍ଲା ଆକରପଡ଼ା ଗାଁ’ର ସ୍ବୟଂ ସହାୟତା ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟା ସଲିଳା ଜେନାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ -୨୦୨୩ ପ୍ରଦାନ କରିଛନ୍ତି। ‘ଖୋଲା ଶୌଚମୁକ୍ତ ପ୍ଲସ୍ ମଡେଲ ଗାଁ’’ ବର୍ଗରେ ଶ୍ରୀମତୀ ଜେନାଙ୍କୁ ଏହି ପୁରସ୍କାର ମିଳିଛି।
ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସଲିଳା ଜେନାଙ୍କ ସମେତ ବିଭିନ୍ନ ରାଜ୍ୟର ୧୮ ଜଣ ମହିଳାଙ୍କୁ ଜଳ ପରିଚାଳନା, ଗାଁ’କୁ ବାହ୍ୟ ଶୌଚମୁକ୍ତ କରିବା ଓ ଜଳ ଯୋଦ୍ଧା ଆଦି ବର୍ଗରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ବଚ୍ଛ ସୁଜଳ ଭାରତ ଅଭିଯାନରେ ତୃଣମଳ ସ୍ତରରେ ମହିଳାମାନଙ୍କ ଜଳ ସଂରକ୍ଷଣ ଓ ପରିମଳ ବ୍ୟବସ୍ଥାରେ ମହତ୍ବପୂର୍ଣ୍ଣ ଯୋଗଦାନକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ଜଳ ସଂରକ୍ଷଣ ଓ ପରିମଳ କ୍ଷେତ୍ରରେ ଉପଲବ୍ଧି ପାଇଁ ମହିଳାମାନଙ୍କ ନିସ୍ବାର୍ଥପର ସେବାକୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କାଳରେ ସ୍ମରଣ କରିଥିଲେ।
ରାଷ୍ଟ୍ରପତି ଜଳଶକ୍ତି ଅଭିଯାନ- ‘କ୍ୟାଚ୍ ଦ ରେନ୍-୨୦୨୩’ ଅଭିଯାନର ଶୁଭାରମ୍ଭ କରିବା ସହିତ ‘ଜଳ ଶକ୍ତି ସେ ନାରୀ ଶକ୍ତି’ ନାମକ ଭିଡିଓ ଓ ସ୍ମାରକ ଡାକ ଟିକଟ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଓ ପ୍ରହଲ୍ଲାଦ ସିଂହ ପଟେଲ, କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହାନ, ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଭିନି ମହାଜନ, ଜଳ ସଂପଦ ବିଭାଗ ସଚିବ ପଙ୍କଜ କୁମାରଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।