ବାଣ ବିସ୍ଫୋରଣରେ ଗୁରୁତର ଶିବନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଶିବନ ତାଡି। ଗତକାଲି ସନ୍ଧ୍ୟାରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା। ପରେ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶିବନ ତାଡି। ଏବେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ରାଜଧାନୀ ଉପକଣ୍ଠ ଭିଏସଏସ ନଗରରେ ଶିବନ ସିଏଲ କଲୋନୀରେ ଥିବା ତାଙ୍କ ଘରେ ବାଣ ଭିଡୁଥିଲେ। ଏହି ସମୟରେ ହଠାତ ବାଣଟି ବିସ୍ଫୋରଣ କରିଥିଲା। ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ଘରର ଆଜବେଷ୍ଟସ ଉପୁଡି ପଡ଼ିଥିଲା। ସେହିପରି ଘର ଭିତରେ ଥିବା ଅନ୍ୟାନ୍ୟ ସାମଗ୍ରୀ ଦୋହଲି ଯାଇଥିଲା। ବିସ୍ଫୋରଣ ଖବର ପାଇ ସ୍ଥାନୀୟ ଲୋକେ ଦୌଡି ଆସିଥିଲେ। ତେବେ ପୁଲିସ ପହଁଚିବା ପୂର୍ବରୁ ଶିବନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।