
ଫ୍ଲଡ ଲାଇଟ୍ ବନ୍ଦ ନେଇ ଓସିଏକୁ କ୍ରୀଡ଼ା ବିଭାଗର କାରଣ ଦର୍ଶାଅ ନୋଟିସ୍
ବାରବାଟୀରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ଷ୍ଟାଡିୟମର ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାକୁ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଅନେକ ସମାଲୋଚନାର ଶୀକାର ହେଉଛି । ଏହାରି ମଧ୍ୟରେ ଓସିଏ ଜବାବ ମାଗିଛି ରାଜ୍ୟ କ୍ରୀଡ଼ା ବିଭାଗ । ଆଗାମୀ ୧୦ ଦିନର ଜବାବ ରଖିବାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ । ଏ ନେଇ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ଗତକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତିୟ ଦିନିକିଆରେ ଘରୋଇ ଦଳ ବ୍ୟାଟିଂ କରୁଥିଲା । ରୋହିତଙ୍କ ଦମଦାର ବ୍ୟାଟିଂ ଆରମ୍ଭ ପରେ ହଠାତ୍ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା । ପ୍ରଥମେ ସମସ୍ୟା ଦେଖାଦେଇଥିଲା ଏହା ପରେ ତୁରନ୍ତ ଠିକ୍ ହୋଇଯାଇଥିଲା । ପୁନର୍ବାର ଲାଇଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ଅଧିନାୟକ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ । ଏହା ପରେ ସମସ୍ତ ଖେଳାଳି ପଡ଼ିଆରୁ ପାଭିଲିୟନ୍ ଫେରି ଆସିଥିଲେ । ପ୍ରାୟ 30 ମିନିଟ୍ ପାଖାପାଖି ଖେଳ ବନ୍ଦ ରହିଥିଲା । ପରେ ଲାଇଟ୍ ସମସ୍ୟା ଦୂର ହେବା ପରେ ଖେଳ ଆରମ୍ଭ ହୋଇଥିଲା । ତେବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଜେନେରେଟରେ ଅତ୍ୟଧିକ ଚାପ (ଓଭର୍ ଲୋଡ୍) ଯୋଗୁଁ ବନ୍ଦ ହୋଇଯାଇଥିଲା । ଆଉ ଗୋଟିଏ ଜେନେରେଟର୍ ଆଣିବାକୁ ଗଲା ବେଳେ ଖେଳାଳିଙ୍କ ବସ୍ ବାଧା ଦେଇଥିଲା । ଡ୍ରାଇଭର ଖେଳ ଦେଖୁଥିବାରୁ ତାକୁ ଡାକିକି ଆଣିବା ପରେ ବସକୁ ହଠା ଯାଇଥିଲା ଏବଂ ଜେନେରେଟର୍ କୁ ଅଣାଯାଇ ଲଗାଯାଇଥିଲା । ଏହା ପରେ ସମସ୍ୟା ଦୂର ହୋଇଥିଲା । ବସ୍ ଯୋଗୁଁ ବିଳମ୍ବ ହୋଇଥିଲା ବୋଲି କହିଥିଲେ ସମ୍ପାଦକ ।