୧୭ ବର୍ଷରୁ କମ ମହିଳା ସାଫ ଚାମ୍ପିୟନଶିପ ପାଇଁ ଓଡିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ କୋଚ ଦାୟିତ୍ୱ
ଭୁବନେଶ୍ୱର: ୧୭ ବର୍ଷରୁ କମ ମହିଳା ସାଫ(ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ ପାଇଁ ଓଡିଶାର ପୂର୍ବତନ ମହାନ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଏହି ଚାମ୍ପିୟନଶିପ ପାଇଁ ସେ ଜାତୀୟ ମହିଳା ଦଳର କୋଚ ଦାୟିତ୍ୱ ତୁଲାଇବେ । ପୂର୍ବରୁ ସେ ରାଜ୍ୟ ଏବଂ ଜାତୀୟସ୍ତରରେ ତାଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସିଛନ୍ତି । ଭୁଟାନରେ ଏହି ଚାମ୍ପିୟନଶିପ ସେପ୍ଟେମ୍ବର ୧ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ହାତରେ ବେଶ କିଛି ଦିନ ସମୟ ଥିବାରୁ ସେ ଭଲ ଭାବେ ଟିମକୁ ଗଢ଼ିତୋଳିବେ ବୋଲି ଆଶା କରାଯାଉଛି ।
ଶ୍ରଦ୍ଧାଞ୍ଜଳି ଏଏଫସି ବି ଲାଇସେନ୍ସପ୍ରାପ୍ତ କୋଚ । ସର୍ବଭାରତୀୟ ଫୁଟବଲ ଫେଡେରେଶନ ଏବଂ ଫୁଟବଲ ଆସୋସିଏଶନ ଅଫ ଓଡିଶା ତାଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ତାଙ୍କୁ ଏ ନେଇ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଶ୍ରଦ୍ଧାଞ୍ଜଳି ଜଣେ ଭଲ ଖେଳାଳି ଭାବେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଛାପ ଛାଡିଥିଲେ ।