ଡିସେମ୍ବର ୧୬ରୁ ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର : ଶ୍ରୀମନ୍ଦିର ସବ୍ କମିଟି ବୈଠକରେ ନିଷ୍ପତ୍ତି

ପହିଲି ଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ଡିସେମ୍ବର ୧୬ରୁ ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିର ସବ୍ କମିଟି ବୈଠକରେ ପହିଲିଭୋଗ ନୀତି ନେଇ ଆଲୋଚନା କରାଯାଇଛି । ଏହି ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟା ହେବ ଏବଂ ଭୋର ୫ଟା ୨୦ରୁ ପହିଲି ଭୋଗ ନୀତି ହେବ । ରାତି ୧୧ଟାରେ ପହୁଡ଼ ହେବ। ଏନେଇ ଗତକାଲି ହୋଇଥିବା ଛତିଶାନିୟୋଗ ବୈଠକ ନିଷ୍ପତ୍ତି ହୋଇଛି ।

ପ୍ରତିଦିନ ରାତି ୨ଟାରେ ଦ୍ବାରଫିଟା ନୀତି ପରେ ୨ଟା ୪୫ରେ ମଙ୍ଗଳ ଆଳତି ହେବ। ଭୋର ୫ଟା ୨୦ରୁ ୬ଟା ଭିତରେ ପହିଲି ଭୋଗ ନୀତି ସଂପନ୍ନ ହେବ। ସାଢ଼େ ୬ଟାରୁ ୮ଟା ଭିତରେ ସକାଳଧୂପ, ୮ଟା ୨୦ରୁ ପୂର୍ବାହ୍ଣ ୧୦ଟା ଭିତରେ ପ୍ରଥମ ଭୋଗମଣ୍ଡପ, ପୂର୍ବାହ୍ଣ ସାଢ଼େ ୧୦ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ମଧ୍ୟାହ୍ନଧୂପ, ପୂର୍ବାହ୍ଣ ୧୧ଟା ୪୫ରୁ ଅପରାହ୍ଣ ୧ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ, ସାଢ଼େ ୨ଟାରେ ଦିବା ପହୁଡ଼ ହେବ। ଅପରାହ୍ଣ ସାଢ଼େ ୪ଟାରେ ଦ୍ବାରଫିଟା ନୀତି ହୋଇ ୫ଟାରେ ସଂଧ୍ୟା ଆଳତି, ସାଢ଼େ ୬ଟାରୁ ୮ଟା ଭିତରେ ସଂଧ୍ୟାଧୂପ, ରାତି ୯ଟାରେ ଚନ୍ଦନଲାଗି, ରାତି ୧୦ଟାରେ ବଡ଼ସିଂହାର ବେଶ, ସାଢ଼େ ୧୦ଟାରେ ବଡ଼ସିଂହାର ଭୋଗ, ୧୦ଟା ୪୫ରେ ଟୋପରଲାଗି ଓ ରାତି ୧୧ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। ଦେବାଭିଷେକ ପୂର୍ଣ୍ଣିମାରେ ବି ରାତି ୩ଟାରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ବଢ଼ିବ। ମକର ସଂକ୍ରାନ୍ତିରେ ରାତି ୩ଟାରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ବଢ଼ିବ।

ଅନ୍ୟପଟେ ଚଳିତମାସ ୧୬ରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ସହ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଧନୁ ସଂକ୍ରାନ୍ତି ଓ ଜାନୁୟାରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଗାମୀ ବୈଠକରେ ଆଲୋଚନା କରାଯାଇ ନୀତିନିର୍ଘଣ୍ଟ କରାଯିବ।

ନୂଆବର୍ଷ ପୂର୍ବଦିନ ୩୧ ତାରିଖ ଦିନ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ରାତ୍ରପହୁଡ଼ ଓ ଜାନୁଆରୀ ୧ ତାରିଖରେ ଦିବା ପହୁଡ ହେବ କି ନାହିଁ ସେ ସମ୍ପର୍କରେ ଆଲୋଚନା କରାଯିବ । ଆଜି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ଆଗାମୀ ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ ।

Related Articles

Back to top button