ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର
ସମ୍ବଲପୁର: ରଙ୍ଗିନ ଆଲୋକମାଳା ଝଲସୁଛି ସମ୍ବଲପୁରର ବିଭିନ୍ନ ପଡା ତଥା ଗଳିକନ୍ଦି । ଶୀତଳ ଷଷ୍ଠୀ ନୀତିର ପ୍ରଥମ ପର୍ଯ୍ୟାୟ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ସରିଛି । ସୋମବାର ରାତିରେ ସମ୍ବଲପୁର ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡାର ଗୁପ୍ତେଶ୍ଵର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ସମ୍ପନ୍ନହୋଇଯାଇଛି ।
ସଂଧ୍ୟା ପ୍ରାୟ ୮ଟା ସମୟରେ ଦେବ ବେଦ ମହାଦେବଙ୍କ ମନ୍ଦିରରେ ରିତି ନିତୀ ଅନୁଯାୟୀ ପୁଜାର୍ଚ୍ଚନା ହୋଇଥିଲା । ଏହାପରେ ବରପିତା ଓ ସପ୍ତଋଷୀ ବାହାରିଥିଲେ ମହାଦେବଙ୍କ ପାଇଁ କନ୍ୟା ଅନ୍ଵେଷଣରେ । ଏକ ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ,ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର । ଏହା ପରେ କନ୍ୟା ଖୋଜିଖୋଜି ବରପକ୍ଷ ପହଂଚିଥିଲେ କନ୍ୟାପିତା ମାତା ଘରେ |ସେଠାରେ ପହଂଚିବା ପରେ ବରପକ୍ଷଙ୍କୁ କନ୍ୟା ଘର ତରଫରୁ ସ୍ବାଗତ କରାଯାଇଥିଲା ।
ସମ୍ପୂର୍ଣ୍ଣ ଲୋକାଚାର ସହ ୨ବର୍ଷ ପରେ ମହାଆଡମ୍ବର ରେ ଶୀତଳ ଷଷ୍ଠୀ ଆୟୋଜନ ହେଉଛି । କନ୍ୟାପକ୍ଷ ରାଜି ହେଲା ପରେ ସପ୍ତଋଷୀଙ୍କ ଉପସ୍ଥିତିରେ ଦେବୀ ପାର୍ବତୀଙ୍କୁ ବେଲପତ୍ର,ଫୁଲ ଏବଂ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୁ ହିସାବରେ ବାଛିଛନ୍ତି ବରପିତା । ଏହା ସହ ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଜି ଦେବ ନିମନ୍ତ୍ରଣ ରହିଛି । ୨୪ ତାରିଖ ରାତିର ଶୁଭ ଲଗ୍ନରେ ଦେବ ଦମ୍ପତ୍ତିଙ୍କ ବିବାହ ହେବ ।