
୨ ମାସ ଭିତରେ ବଦଳିବ ଓଡ଼ିଶା ନୌକା ଆଇନ: ଚିଲିକାରେ ଚାଲିବ ସୌରଶକ୍ତି ଏବଂ ବିଦ୍ୟୁତ୍ ଚାଳିତ ନୌକା
ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ପରେ ଓଡ଼ିଶା ନୌକା ଆଇନ ବଦଳିବାକୁ ଯାଉଛି । ଆସନ୍ତା ୨ ମାସ ଭିତରେ ରାଜ୍ୟ ସରକାର ଓଡ଼ିଶା ନୌକା ଅଧିନିୟମ ଲାଗୁ କରିବା ପାଇଁ ଯୋଜନା କରିଛନ୍ତି। କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଏହିଅଧିନିୟମ ପ୍ରସ୍ତୁତ କରାଯିବ। ଜଳପଥରେ ନିରାପଦ ନୌକା ଯାତ୍ରା ସହ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ।
ନୂଆ ଆଇନ୍ ଅନୁସାରେ ସାରା ରାଜ୍ୟରେ ଗୋଟିଏ ପ୍ରକାର ନୌକା ଚାଲିବ, ଯାହାର ଡିଜାଇନ ପ୍ରସ୍ତୁତ ହୋଇସାରିଛି। ଏହାଦ୍ୱାରା ଜଳପଥରେ ନୌଯାତ୍ରୀଙ୍କ ସଂଖ୍ୟା ଓ ପଣ୍ୟ କାରବାର ବୃଦ୍ଧି ଘଟିବ। ସମୁଦ୍ର, ନଦୀ ଓ ହ୍ରଦରେ ଯାତ୍ରୀବାହୀ ନୌକା ଚାଲିବ। ନୌକା ମାଲିକ, ନିର୍ମାତା, ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ଏହି ନୂଆ ନୌକା ଅଧିନିୟମ ଉପରେ ବିଚାରବିମର୍ଶ ଚାଲିଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଆସନ୍ତା ୩ ମାସ ମଧ୍ୟରେ ଚିଲିକାରେ ସୌରଶକ୍ତି ଏବଂ ବିଦ୍ୟୁତ୍ ଚାଳିତ ନୌକା ଚଳାଚଳ କରିବ। ଏହି ପରୀକ୍ଷାମୂଳକ ନୌଯାତ୍ରା ସଫଳ ହେଲେ ରାଜ୍ୟର ଅନ୍ୟ ଜଳପଥରେ ସୌରଚାଳିତ ନୌକା ଚଳାଚଳ କରାଯିବ ବୋଲି ରାଜ୍ୟ ବନ୍ଦର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ସୂଚନା ଦେଇଛନ୍ତି।