
ପୁରୀ, କୋଣାର୍କ ଓ ଭୁବନେଶ୍ବରକୁ ଭୂମିକମ୍ପ ବିପଦରୁ ରକ୍ଷାପାଇଁ ସ୍ବତନ୍ତ୍ର ଯୋଜନା
ପୁରୀ: ଭୂମିକମ୍ପ ଜୋନ୍ରେ ରହିଛି ଐତିହ୍ୟ ସହର ପୁରୀ ଓ କୋଣାର୍କ। ଏଠିକାର ପ୍ରାଚୀନ କୀର୍ତ୍ତିରାଜି ପ୍ରତି ବିପଦର ଆଶଙ୍କା ରହିଛି। ଏହି ଦୁଇଟି ପର୍ଯ୍ୟଟନ ସହରରେ ଥିବା ଅଧିକାଂଶ କୋଠାରେ ଭୂମିକମ୍ପ ପ୍ରତିରୋଧକ ବ୍ୟବସ୍ଥା ନାହିଁ। ତେଣୁ ପୁରୁଣା ଭୂମିକମ୍ପ ରେକର୍ଡକୁ ଭିତ୍ତିକରି ବିସ୍ତୃତ ସର୍ଭେ ସମେତ ପ୍ରତିକାର ବ୍ୟବସ୍ଥା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ଭାରତୀୟ ଭୂତତ୍ତ୍ବ ସର୍ଭେ ପ୍ରତିଷ୍ଠାନ ପକ୍ଷରୁ ୩ଜଣ ଭୂତତ୍ତ୍ବବିତ୍ଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ପୁରୀ, କୋଣାର୍କ ଓ ଭୁବନେଶ୍ବର ସ୍ବର୍ଣ୍ଣ ତ୍ରିଭୂଜକୁ ଭୂମିକମ୍ପ ବିପଦରୁ ରକ୍ଷାପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ। ଏଥିପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କଠାରୁ ଭୂତତ୍ତ୍ବ ନିର୍ଦେଶାଳୟ ସବିଶେଷ ତଥ୍ୟ ମାଗିଛି। ଦ୍ବିତୀୟ ପର୍ଯ୍ୟାୟରେ ଜନବହୁଳ କଟକ ସହରକୁ ସେଥିରେ ସାମିଲ କରାଯିବା ପ୍ରସ୍ତାବ ରହିଛି। ଭୂକମ୍ପ ବିପଦରୁ ହୀରାକୁଦ ଡ୍ୟାମ୍ ଏବଂ ପାରାଦୀପ ବନ୍ଦର ମଧ୍ୟ ମୁକ୍ତ ନୁହେଁ। ଏଗୁଡିକ ୩ ନମ୍ବର ଭୂକମ୍ପ ଜୋନ୍ରେ ରହିଛି, ଅର୍ଥାତ ଏହିସବୁ ସ୍ଥାନରେ ଭୂକମ୍ପଜନିତ ମଧ୍ୟମ ଧରଣର ବିପଦ ଆଶଙ୍କା ରହିଛି। ରାଜ୍ୟର ୧୬ ଜିଲା ମଧ୍ୟମ ବିପଦ ଜୋନ୍ରେ ଥିବାବେଳେ ୧୪ ଜିଲା କମ୍ ଆପଦ ଜୋନ୍ରେ ଅଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ରାଜଧାନୀ ଅହମଦାବାଦ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳ ମଧ୍ୟମ ଧରଣର ଆପଦ ଜୋନ୍ର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ୨୦୦୧ ଭୁଜ୍ରେ ସଂଘଟିତ ଭୂକମ୍ପରେ ଅହମଦାବାଦ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ତେଣୁ ଓଡ଼ିଶାର ମଧ୍ୟମ ଭୂକମ୍ପ ଆପଦ ଜୋନ୍ରେ ଥିବା ଜିଲାଗୁଡିକରେ ଭୂକମ୍ପ ସଂଘଟିତ ହେଲେ ଅନୁରୂପ କ୍ଷୟକ୍ଷତି ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ।