
ସମ୍ବଲପୁର ହିଂସା ଘଟଣାର ସମୀକ୍ଷା କଲେ ଏସଆରସି
ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ରବିବାର ଏସଆରସି ତଥା ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବଲପୁରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଓ ଶାନ୍ତିପୂର୍ଣ୍ଣ ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ ଓ ଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ। ସମସ୍ତେ ଭାଇଚାରା ବଜାୟ ରଖିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଜିଲ୍ଲାବାସୀଙ୍କୁ ଏସଆରସି ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଉପଜିଲ୍ଲାପାଳ, ମ୍ୟୁନିସିପାଲିଟିର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଶୋଭାଯାତ୍ରା ଉପରେ ପଥରମାଡ଼ ଆକ୍ରମଣ ଘଟଣା ପରେ ଗତ ଗୁରୁବାର ଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ପ୍ରଶାସନ ଜିଲ୍ଲାର ସୀମା (ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁବର୍ଣ୍ଣପୁରକୁ ଲାଗିଥିବା ଅଞ୍ଚଳ)କୁ ସିଲ କରିଦେଇଛି। ସମ୍ବଲପୁର ସହରରେ କର୍ଫ୍ୟୁ ଲାଗୁ ରହିଛି। ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସହରର ଚାରିଆଡେ ପୁଲିସ ଛାଉଣୀ ଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ସର୍ବସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ୧୦ଟା ଓ ଅପରାହ୍ଣ ୩ଟାରୁ ୫ଟା କର୍ଫ୍ୟୁ କୋହଳ କରାଯାଇଛି।
ସେପଟେ ସତର୍କତା ମୂଳକ ପଦକ୍ଷେପ ଭାବେ ସହରରେ କର୍ଫ୍ୟୁ ଜାରି ହୋଇଛି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରହିଥିବା କହିଛନ୍ତି ଡିଜିପି ସୁନୀଲ ବଂଶଲ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାରୁ ଆଉ ଟିକିଏ ଉନ୍ନତି ହେଲେ ଦିନେ ଦୁଇ ଦିନ ଭିତରେ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ପୋଲିସ ଡିଜି । ଆଜି ପରୀକ୍ଷା ଥିବାରୁ କର୍ଫ୍ୟୁ କୋହଳ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଠିକ୍ ଭାବରେ ଚାଲିଛି, କିଛି ଅସୁବିଧା ହୋଇ ନାହିଁ । ପରୀକ୍ଷା ସରିଲା ସମୟରେ କର୍ଫ୍ୟୁ କୋହଳ ହେବ । ହିଂସାରେ ଯେଉଁମାନେ ଶଂଶ୍ଲିଷ୍ଟ ସେମାନଙ୍କୁ ଚିହ୍ନଟ କରାଯାଉଛି । ଗଣ୍ଡଗୋଳକାରୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା କହିଛନ୍ତି ପୋଲିସ ଡିଜି । ହିଂସା ସୃଷ୍ଟିକାରୀଙ୍କ ପ୍ରତି କୋହଳ ମନୋଭାବ ଗ୍ରହଣ କରାଯିବ ନାହିଁ । ଲୋକେ ପୋଲିସକୁ ସହଯୋଗ କରିବାକୁ ଡିଜିପି ନିବେଦନ କରିଛନ୍ତି ।