ପାୱାର କଟ୍ ସମସ୍ୟାର ସମାଧାନ ପାଇଁ ତାଗିଦ୍ କଲେ SRC

ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ଚିନ୍ତା ବଢାଉଛି ପାୱାର୍ କଟ୍ । ବର୍ତ୍ତମାନ ତାପମାତ୍ରା ୪୪ ଡ଼ିଗ୍ରୀ ଟପିଥିବା ବେଳେ ରାତିରେ ତାତିରୁ ତ୍ରାହି ମିଳୁ ନାହିଁ ।ତେବେ ବାରମ୍ବାର ଏହି ସମସ୍ୟାପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ସୋସିଆଲ ମିଡିଆ ଏକ୍ସ ଜରିଆରେ TPCODL ସିଇଓ ଏବଂ ଶକ୍ତି ବିଭାଗ ସଚିବଙ୍କୁ ଟ୍ୟାଗ କରି SRC କଡା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଭୁବନେଶ୍ୱର ସହର ଭିତରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁ ଗ୍ରୀଷ୍ମ ସହ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ କହିଛନ୍ତି ଏସଆରସି।

ଅନେକ ସ୍ଥାନରେ ମେଣ୍ଟେନାନ୍ସ ଆଳରେ ବାରମ୍ବାର ପାୱାର କଟ୍ ହେଉଛି, ସେନେଇ ଜନ ଅସନ୍ତୋଷ ଦେଖାଦେଇଥିଲା । ଏହି ଖବର ପରେ ରାଜ୍ୟ ସରକାର ତତ୍ପର ହେବା ସହ ବିଦ୍ୟୁତ ବିତରଣ କମ୍ପାନୀକୁ ଏ ଦିଗରେ ଦୃଷ୍ଟି ଦେବାକୁ ଝଜଉ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ତାତି ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍ ରିଲେଟେଡ୍ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗତକାଲି ରାଜ୍ୟର ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି ରାଜ୍ୟର ତାତି । ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଥିଲା ସର୍ବାଧିକ ଉତ୍ତପ୍ତ ସହର।

Related Articles

Back to top button