ଆସନ୍ତା ୧୦ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ

ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ । ପଦ୍ମରେ ଝଟକି ଉଠିବ ବଡ଼ଠାକୁରଙ୍କ ଶ୍ରୀମୁଖ । ଆସନ୍ତା ୧୦ ତାରିଖ ଶନିବାରଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ । ପ୍ରତିବର୍ଷ ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଏହି ବେଶ ହେବାର ପରମ୍ପରା ରହି ଆସିଛି । ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୁଅନ୍ତି । ଏହି ବେଶ ଥାଇ ରାତ୍ର ପହୁଡ଼ ହୁଏ। ତହିଁ ପରଦିନ ସକାଳେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ଭକ୍ତଙ୍କୁ ମିଳିଥାଏ ।

ଏହି ବେଶର ମହତ୍ତ୍ୱ ହେଉଛି, ସମ୍ପୂର୍ଣ୍ଣ ବେଶ କାର୍ଯ୍ୟ ପାଣି ସୋଲରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ପଦ୍ମ ଫୁଲଠୁ ନେଇ ପଦ୍ମ ପାଖୁଡ଼ା, ପଦ୍ମ କେଶର, ଆମ୍ବକଷି, ଡାଳି, ୭ଟି ଗଛ, ୭ଟି ସିଂହାସନ, ୩ଟି ଶ୍ରୀମୁଖ ପଦ୍ମ ସବୁକିଛି ସୋଲ ଓ ଜରିରେ ପ୍ରସ୍ତୁତ ହେଉଛି । ଏହାବ୍ୟତୀତ ୩ଟି ବଡ଼ ଚୂଳ ମଧ୍ୟ ପ୍ରସ୍ତୁତ କରାଯାଉଛି । ସୋଲକୁ କାଗଜ ଭଳି କାଟି ପ୍ରସ୍ତୁତ କରିବା ପରେ ଏହାକୁ ପଦ୍ମ ଫୁଲର ରୂପ ଦିଆଯାଉଛି । ପ୍ରଭୁଙ୍କ ବେଶ ନିମିତ୍ତ କାରିଗର ମାନେ ଦିନରାତି ଲାଗିପଡିଛନ୍ତି । ଏହାବ୍ୟତୀତ ସନ୍ତରାରେ ବଳା ତିଆରି କରାଯାଇଛି। ବେଶ ପ୍ରସ୍ତୁତ କରୁଥିବା ଶିଳ୍ପୀଙ୍କ କହିବାଅନୁସାରେ , ଶ୍ରୀମୁଖରେ ତୁଳସୀକୁ ବଳା ସଦୃଶ ପ୍ରସ୍ତୁତ କରି ସଜ୍ଜାଯାଏ। ପରେ ବେଶ ବନ୍ଧା ଯାଇଥାଏ । ବଡ଼ଛତା ମଠ ପକ୍ଷରୁ ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଏ। ବେଶ ପାଇଁ ଆବଶ୍ୟକ ସୋଲ, ଜରି, କଇଁଥ ଅଠା, କନା, ବେତ, ବାଉଁଶ, ସନ୍ତରା ଆଦି ମଠ ତରଫରୁ ଯୋଗାଇ ଦିଆଯାଇଥାଏ। ପଣ୍ଡୁ ପୂର୍ଣ୍ଣିମାଠାରୁ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଏ।

 

Related Articles

Back to top button