ଆସନ୍ତା କାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ, ରଥ ଚକ ସହ ଅଖ ସଂଯୋଗ ହେବ

ପୁରୀ: ଆସନ୍ତା କାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ପରମ୍ପରା ଅନୁସାରେ ୩ ରଥର ପ୍ରତ୍ୟେକ ଦୁଇଟି ଚକ ସହ ଗୋଟିଏ ଅଖ ସଂଯୋଗ କରାଯିବ । ଯାହାକୁ ଚକଅଖ ଡେରା ନୀତି କୁହନ୍ତି । ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ଟି ଚକ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିବା ବେଳେ ଆଜି ସୁଦ୍ଧା ୮ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ଶୁକ୍ରବାର ଶ୍ରୀମନ୍ଦିରରେ ସକାଳ ଧୂପ ପରେ ତିନିବାଡର ପୂଜାପଣ୍ଡା ସେବାୟତ ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ । ସେଠାରେ ଭୋଇ ସେବକ ମାନେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କାର୍ଯ୍ୟ ସାରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିବେ ।

ସେପଟେ ଚନ୍ଦନଯାତ୍ରା ଚାଲିଥିବା ବେଳେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତିରେ ବିଳମ୍ବ ହେଉଛି । ଶୁକ୍ରବାର ପବିତ୍ର ଭଉଁରୀ ଦିନ ରାତି ୩ଟାରୁ ଦ୍ୱାରଫିଟା ପରେ ଅନ୍ୟାନ୍ୟ ନୀତିକାନ୍ତି ପରେ ସକାଳ ସାଢ଼େ ୯ଟାରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ ।  ନୀତିକାନ୍ତିକୁ ଶୃଙ୍ଖଳିତ ଓ ସଠିକ୍ ସମୟରେ ଶେଷ କରିବାକୁ ସେବାୟତ ମାନଙ୍କ ସହ ଆଲୋଚନା କରିଛି ପ୍ରଶାସନ ।

ଭକ୍ତଙ୍କ ଭିଡକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମୁଦାୟ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ଜଣେ ଡିଏସପି,  ତିନିଜଣ ଆଇଆଇସି, ଜଣେ ଆଡିସନାଲ୍ ଏସପି ମୁତୟନ ରହିବେ ବୋଲି ପୁରୀ ଏସପି କହିଛନ୍ତି । ପବିତ୍ର ଭଉଁରୀ ତିଥିରେ ତିନିରଥର ଦୁଇଟି ଲେଖାଏ ଚକ ସହ ଅଖ ସଂଯୋଗ ହେବାର ପରମ୍ପରା ରହିଥିବା ବେଳେ ଆସନ୍ତା ଶୀତଳ ଷଷ୍ଠୀ ଦିନ ସମସ୍ତ ୪୨ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସ୍ନାନ ପୂର୍ଣ୍ଣିମା ଦିନ ଚାରିନାହକା ଉଠିବାର ବିଧି ରହିଛି ।

Related Articles

Back to top button