
ରାଜ୍ୟ ଫରେନସିକ ଲାବକୁ ଆସିଲା ପାରାଦୀପରୁ ଉଦ୍ଧାର ହୋଇଥିବା ଗୁଇନ୍ଦା ପାରା
ଭୁବନେଶ୍ୱର: ପାରାଦୀପ ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାଟି କେଉଁଠୁ ଆସିଛି ଜାଣିବାକୁ ପାରାଟିକୁ ଭୁବନେଶ୍ବର ସ୍ଥିତ ରାଜ୍ୟ ଫରେନସିକ ଲାବକୁ ଅଣାଯାଇଛି। ପାରାର ଗୋଡରେ ଲାଗିଥିବା ଚିପ୍ ଏବଂ କିଛି ଲେଖାକୁ ନେଇ ପ୍ରଶ୍ନ ଉଠିଛି। ପାରାଟିର ଗୋଡରେ ଯେଉଁ ଅକ୍ଷର ଲେଖା ହୋଇଛି ତାହା କୌଣସି ଭାରତୀୟ ଭାଷା ନାହିଁ। ତେଣୁ ଏହାକୁ ନେଇ ସନ୍ଦେହ ବଢିଛି।
ଏହା ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଏବଂ ଚୀନର ହୋଇଥାଇପାରେ ବୋଲି ଚର୍ଚ୍ଚ ହେଉଛି। ପାରାଦୀପ ମେରାଇନ ଥାନାର ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗୁପ୍ତଚର ପାରକୁ ଆଣିଛନ୍ତି।
ମାର୍ଚ୍ଚ 6 ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ରାମଚଣ୍ଡୀଠାରେ ସାରଥୀ ନାମକ ଏକ ଟ୍ରଲରର ମତ୍ସ୍ୟଜୀବୀମାନେ ଏହି ପକ୍ଷୀକୁ କାବୁ କରିଥିଲେ। ଜିପିଏସ୍ ଟ୍ରାକିଂ ସିଷ୍ଟମ ଭଳି ଦେଖାଯାଉଥିବା ଏହି ‘ପାରା’ ଉପରେ ଏକ ଛୋଟ ଗୁଇନ୍ଦା କ୍ୟାମେରା ଏବଂ ଚିପ୍ ଟ୍ୟାଗ ହୋଇଥିବା ଜଣାପଡ଼ିଛି।