ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ , ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସାରା ଓଡ଼ିଶା ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ପରେଡ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ସ୍ବାଧୀନତା ଦିବସ ଅବସରରେ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୧୫ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର । ସେହିପରି ଡଗ୍ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍-କ୍ୟାଚର୍ ଟିମ୍ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ ।
ସମାରୋହ ପାଇଁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନାରେ ଅତିରିକ୍ତ ଡିସିପି, ଏସିପି, ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର୍ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବେ। ଟ୍ରାଫିକ୍ ପରିଚାଳନା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାସହ ବୋମା ନିଷ୍କ୍ରିୟକାରୀ ଦଳ, ସାର୍ପ ସୁଟର୍, ସାଦା ପୋଷାକଧାରୀ ପୁଲିସ, କୁଇକ୍ ରେସପନ୍ସ ଟିମ୍ ମୁତୟନ ରହିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆ ଏବଂ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଛି । ଏହାସହ ପରେଡ଼ ସ୍ଥଳକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନିୟନ୍ତ୍ରଣକୁ ନିଆଯାଇଛି । କଣ୍ଟ୍ରୋଲ୍ ରୁମ୍ରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି ।