ସାହାଯ୍ୟ କରିବେ କହି ଏଟିଏମ୍‌ କାଉଣ୍ଟରରେ କାର୍ଡ ବଦଳାଇ ଟଙ୍କା ଲୁଟୁଥିଲେ, ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଏଟିଏମ୍‌ କାଉଣ୍ଟରରେ ସହାୟତା ଆଳରେ ଚତୁରତାର ସହ ଏଟିଏମ୍‌ କାର୍ଡ ବଦଳାଉଥିଲେ। ଏଥିସହ ପିନ୍‌ ନମ୍ବର ମନେ ରଖି ଉକ୍ତ କାର୍ଡରୁ ଟଙ୍କା ଉଠାଣ, ଟ୍ରାନ୍ସଫର୍‌ ଓ ସପିଙ୍ଗ୍‌ କରୁଥିଲେ। ଉକ୍ତ ଟଙ୍କାରେ କିଣୁଥିଲେ ବିପୁଳ ସୁନା। ରାଜଧାନୀ ସହ ରାଜ୍ୟର ବିଭିନ୍ନ ଜିଲାରେ ଏଭଳି ରାକେଟ ଚଳାଇଥିବା ୨ ଜେଲ ଫେରନ୍ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରେ ରହୁଥିବା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ କୁଲଡ଼ା ଗ୍ରାମର ଗୋବର୍ଦ୍ଧନ ପାତ୍ର (୩୭) ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ପୋଲସରା ଥାନା ଅନ୍ତର୍ଗତ ଖୁଡ଼ୁରୁ ଗ୍ରାମର ମନୋଜ କୁମାର ସାହୁ (୩୨)। ଉଭୟଙ୍କ ନିକଟରୁ ୫ ଲକ୍ଷ ୫୦ ହଜାର ନଗଦ ଟଙ୍କା, ୫୦ ଗ୍ରାମ୍‌ର ସୁନା ଅଳଙ୍କାର ଓ ୧୮ଟି ଏସ୍‌ବିଆଇ ଏଟିଏମ୍‌ କାର୍ଡ, ଗୋଟିଏ ସ୍କୁଟି ଜବତ ହୋଇଛି। ଅଭିଯୁକ୍ତଦ୍ୱୟଙ୍କ ନାଁରେ ବିଭିନ୍ନ ଜିଲାରେ ୩୦ରୁ ଅଧିକ ମାମଲା ଥିବା ପୋଲିସ କହିଛି। ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ନଂ.୧୪/୨୦୨୩ରେ ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଦ୍ୱୟଙ୍କ ଆପରାଧିକ କାର୍ଯ୍ୟଧାରା ଉପରେ ଅଧିକ ତଦନ୍ତ କରାଯାଉଥିବା ଜୋନ୍‌-୪ ଏସିପି ଶୁଭନାରାୟଣ ମୁଦୁଲି ଖବରଦାତା ସମ୍ମିଳନୀରେ କହିଛନ୍ତି।
ଅନୁଯାୟୀ, ଅଭିଯୁକ୍ତଦ୍ୱୟ ରାଜଧାନୀ ସମେତ ନୟାଗଡ଼, ପୁରୀ, ଯାଜପୁର ଓ ଗଞ୍ଜାମ ଆଦି ଅଞ୍ଚଳରେ ଅପରାଧ ଘଟାଉଥିଲେ। ୩ମାସ ତଳେ ଗଞ୍ଜାମ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ଅଭ୍ୟାସ ଛାଡ଼ି ନ ଥିଲେ। ଏଟିଏମ୍‌ କାଉଣ୍ଟରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଟାର୍ଗେଟ କରନ୍ତି। ସେମାନଙ୍କ ସରଳତା ତଥା ଅଜ୍ଞତାର ସୁଯୋଗ ନେଇ ସହାୟତା ଆଳରେ ଏଟିଏମ୍‌ କାର୍ଡ ଓ ପିନ୍‌ ହାତେଇ ନେବା ପରେ ଆକାଉଣ୍ଟରୁ ଟଙ୍କା ଖାଲି କରିଦିଅନ୍ତି। ଅକ୍ଟୋବର ୯ରେ ନନ୍ଦନକାନନ ଥାନା ଅଞ୍ଚଳର ବିଦ୍ୟାଧର ପାତ୍ର ସ୍ଥାନୀୟ ଏସ୍‌ବିଆଇ କାଉଣ୍ଟରରୁ ଟଙ୍କା ଉଠାଇବାବେଳେ ଅଭିଯୁକ୍ତଦ୍ୱୟ ସହାୟତା ଆଳରେ ଏଟିଏମ୍‌ କାର୍ଡ ବଦଳାଇ ନେବା ସହ ପିନ୍‌ ନମ୍ବର ମଧ୍ୟ ମନେ ରଖିଥିଲେ। ପରେ ତାଙ୍କ କାର୍ଡରୁ ୯୯ ହଜାର ଟଙ୍କା ଉଠାଇ ନେବା ସହ ସୁନା ମଧ୍ୟ କିଣିଥିଲେ। ଏନେଇ ସେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା କବିତା ସାହୁ ଡିସେମ୍ବର ୨୯ରେ ଯାଜପୁର ଜାରକାସ୍ଥିତ ଏକ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଉଠାଉଥିଲେ। ଅଭିଯୁକ୍ତଦ୍ୱୟ କବିତାଙ୍କୁ ସହଯୋଗ କରିବା ଆଳରେ ତାଙ୍କ ଏଟିଏମ୍‌ କାର୍ଡ ବଦଳାଇ ନେବା ପରେ ୧୧ ଲକ୍ଷ ୧୩ ହଜାର ଟଙ୍କା ନେଇ ଯାଇଥିଲେ। ଜାନୁୟାରୀ ୧୦ରେ ପ୍ରଶାନ୍ତ କୁମାର କଟକ ରୋଡ୍‌ସ୍ଥିତ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରେ ୫ ହଜାର ଟଙ୍କା ଉଠାଇଥିଲେ। ଏହି ସମୟରେ ଅଭିଯୁକ୍ତଦ୍ୱୟ ତାଙ୍କୁ ମିନିଷ୍ଟେଟ୍‌ମେଣ୍ଟ୍‌ କାଢ଼ିବାକୁ ସହଯୋଗ କରିବା ଆଳରେ ଏଟିଏମ୍‌ କାର୍ଡ ବଦଳାଇ ନେବା ପରେ ୨ ଲକ୍ଷ ୨୪ ହଜାର ଟଙ୍କା ନେଇଯାଇଥିଲେ। ତେବେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ଭୁବନେଶ୍ୱର ୟୁପିଡିର ସ୍ପେଶାଲ ସ୍କ୍ବାଡ୍‌ ସହାୟତାରେ ଏକ ପୋଲିସ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଆପରାଧିକ ପୃଷ୍ଠଭୂମି ଓ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଦ୍ୱୟ ଏଭଳି କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଧରିବାକୁ ଯୋଜନା ହୋଇଥିଲା।

Related Articles

Back to top button