ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତା ପପୁ ପମ୍ପମ୍ଙ୍କୁ ପଥର ମାଡ଼
ଚିକିଟି: ଗଞ୍ଜାମ ଜିଲା ଏନ୍ ଏ ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମରେ ଶୁକ୍ରବାର ଅଭିନେତା ପପୁପମ୍ଙ୍କୁ ପଥର ମାଡ଼ ହୋଇଛି। ଜାଗର ପାଇଁ ମୁକ୍ତେଶର ମହାଦେବଙ୍କ ନିକଟରେ ଚାଲିଥିବା ମନରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପପୁଙ୍କ ସହ କଣ୍ଠଶିଳ୍ପୀ ଶୀତଳ, ଦେବେଶ, ବୈଦ୍ୟନାଥ ଯୋଗଦେଇଥିଲେ । ହଠାତ କିଛି ଦର୍ଶକ ଷ୍ଟେଜ ଉପରକୁ ପଥରମାଡ଼ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ପପୁଙ୍କୁ ପାଣି ବୋତଲ ବି ମାଡ଼ ହୋଇଥିବା ଅଭିଯୋଗ ଆସିଛି । ପଥରମାଡ଼ ପରେ କାର୍ଯ୍ୟକ୍ରମ ଅଧାରୁ ଟିମ୍ ସହ ପଳାଇଥିଲେ ପପୁ ।
ତେବେ କେଉଁ କାରଣରୁ ପପୁଙ୍କୁ ପଥର ମାଡ଼ ହୋଇଛି ତାହା ଜଣାପଡିନାହିଁ । ପଥର ମାଡ଼ରେ କେହି ଆହତ ହୋଇନଥିବା ବେଳେ ମଞ୍ଚରେ ଲାଗିଥିବା ଦେଢ଼ ଲକ୍ଷର ଏଲଇଡି ଭାଙ୍ଗି ଚୂରମାର୍ ହୋଇଯାଇଛି । ସେହିପରି ପାଣିବୋତଲ କିଛି କ୍ରିଉ ମେମ୍ବରଙ୍କ ଉପରେ ବାଜିଥିବା ଜଣାପଡ଼ିଛି । କେଉଁ କାରଣରୁ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନା ମୁତାବକ, ପ୍ରତିବର୍ଷ ପରି ମହାଶିବରାତ୍ରୀ ଉପଲକ୍ଷେ ଗଞ୍ଜାମ ଜିଲ୍ଳା ଚିକିଟି ବ୍ଲକର ସୋରଳ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ସୋରଳ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପପୁ ଯୋଗଦେଇଥିଲେ । ଦର୍ଶକଙ୍କୁ ନିଜ କଳା ମାଧ୍ୟମରେ ଉତ୍ସାହିତ କରିବା ବେଳେ ଏପରି ଢେଲା ମାଡ଼ର ଶିକାର ହୋଇଥିଲେ । ଢେଲା ମାଡ଼ର ଶିକାର ହୋଇ ବାଧ୍ୟ ହୋଇ ମଞ୍ଚ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ ମାନେ ତୀବ୍ର ନିନ୍ଦା କରିଥିବା ବେଳେ ଏ ଘଟଣା ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି ।