କାଲିଠୁ ଉଠା ଦୋକାନୀଙ୍କୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱରହକି ବିଶ୍ୱକପ୍ ପାଇଁ ବିଏମସି ରାସ୍ତାକଡ଼ରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି । ଯାହାକୁ ନେଇ ଆଜି ପ୍ରତିବାଦ ଶାଣିତ ହେବା ପରେ ବିଏମସି ଉଚ୍ଛେଦ ବନ୍ଦ କରିଛି । ଆଜି ପଟିଆ ଓ ଡମଣା ଅଞ୍ଚଳର ଶତାଧିକ ଉଠା ଦୋକାନୀ ଉଚ୍ଛେଦର ପ୍ରତିବାଦ କରି ବିଏମସି ନର୍ଥ ଜୋନ୍ ଅଫିସ୍ ଘେରାଉ କରିଥିଲେ । କିଛି ସମୟ ପାଇଁ ପୋଲିସ ସହ ଉଠ ଦୋକାନୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା ।

ବିଏମସି ଉତ୍ତର ଜୋନ୍ ଅତିରିକ୍ତ କମିଶନର ସୁରେଶ ଲେଙ୍କା କହିଛନ୍ତି, ଆସନ୍ତାକାଲି ଠାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ । ଉଠା ଦୋକାନୀଙ୍କୁ ଥଇଥାନ ନେଇ ପରେ ନିଷ୍ପତ୍ତି ନିଆଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ହକି ବିଶ୍ୱକପ୍ ହେବା ନେଇ ରାଜ୍ୟ ସରକାର ଓ ବିଏମସି ୨ ବର୍ଷ ତଳୁ ଜାଣିଥିଲେ । ସେବେଠୁ ସହରର ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁପ୍ରିଣ୍ଟ ବି ହୋଇଥିଲା । ସବୁଠୁ ବଡ଼ କଥା ହେଉଛି, ଏହି ଉଠା ଦୋକାନଗୁଡ଼ିକ ବିଏମସି ନିକଟରେ ପଞ୍ଜିକୃତ । ତଥାପି ବିଏମସି ସବୁ ଜାଣିଶୁଣି ରାଜଧାନୀର ରାସ୍ତାକଡ଼ରେ ବସୁଥିବା ଉଠା ଦୋକାନୀଙ୍କୁ ଥଇଥାନ ନ କରି ଉଚ୍ଛେଦ କରୁଥିଲା ।

ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍ ବେଳେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ହକି ବେଳେ ବିଏମସିକୁ ସହରର ସୌନ୍ଦର୍ଯ୍ୟକରଣ କଥା ମନେ ପଡ଼ୁଥିବା ବେଳେ ହକି ସରିଲେ ପାସୋରି ଯାଉଛି । ତେବେ, ଏ ଚାକଚକ୍ୟ କଣ କେବଳ ବିଦେଶୀ ଅତିଥିଙ୍କୁ ଦେଖାଇବା ଲାଗି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।

Related Articles

Back to top button