
ସରକାରଙ୍କ ବଦଳି କିମ୍ବା ପଦୋନ୍ନତି ଆଦେଶକୁ ଅବମାନନା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
ଏଣିକି ସରକାରଙ୍କ ବଦଳି କିମ୍ବା ପଦୋନ୍ନତି ଆଦେଶକୁ ଅବମାନନା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଯଦି ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ସ୍ଥାନରେ ସରକାରୀ ଅଧିକାରୀମାନେ ଯୋଗ ନ ଦିଅନ୍ତି ତେବେ ସେମାନଙ୍କ ଦରମା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି କୃଷି ସଚିବ ଡାକ୍ତର ଅରବିନ୍ଦ ପାଢ଼ୀ । ସଚିବ ଶ୍ରୀଯୁକ୍ତ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ । କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ ।
ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗ ନ ଦେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଅଧିକାରୀମାନଙ୍କର ଦରମା ସେପ୍ଟେମ୍ବର ମାସରୁ ବନ୍ଦ କରିଦିଆଯିବ । ବଦଳି ନିର୍ଦ୍ଦେଶର ପରିବର୍ତ୍ତନ ପାଇଁ ବାହ୍ୟ ପ୍ରଭାବ ପକାଇବାକୁ ଚେଷ୍ଠା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟ, ଅଧିକାରୀମାନଙ୍କୁ ଆଦେଶର ଅନୁପାଳନ ଉପରେ ନଜର ରଖିବେ । କେଉଁମାନେ କାର୍ଯ୍ୟସ୍ଥଳ ଯୋଗଦାନ ଦେଉ ନାହାଁନ୍ତି ତାହାର ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।