ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଫର୍ମରେ ହ୍ବାଟସଆପ୍‌ ନମ୍ବର ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଗତ ୨୦ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଶନିବାର ସୁଦ୍ଧା ଅଢ଼େଇ ଲକ୍ଷ ଛାତ୍ରୀଛାତ୍ର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିସାରିଛନ୍ତି। ୨,୦୫୮ ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ଲକ୍ଷ ୪ ହଜାର ସିଟ୍‌ ରହିଛି। ତେବେ ଚଳିତବର୍ଷ ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଜଣେ ପିଲା ସର୍ବାଧିକ ୧୦ଟି କଲେଜ ପାଇଁ ଆବେଦନ କରିପାରୁଥିଲେ। ଏବେ ଯେତେ ସଂଖ୍ୟକ କଲେଜରେ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। କିନ୍ତୁ ଅତି କମ୍‌ରେ ୫ଟି କଲେଜ ପାଇଁ ଆବେଦନ କରିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ନାମଲେଖା ପ୍ରକ୍ରିୟା ଓ ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ହେଉଥିବା ଦୃଷ୍ଟିରୁ ଏଥର ଆବେଦନ ଫର୍ମରେ ହ୍ବାଟସଆପ୍‌ ନମ୍ବର ଦେବାକୁ କୁହାଯାଇଛି। ଏ ନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହ୍ବାଟ୍‌ସଆପ୍‌ ଜରିଆରେ ପିଲାଙ୍କୁ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ସହ ପାଠପଢ଼ା ସମ୍ପର୍କିତ ଖବର ଦିଆଯିବ। ସେହିଭଳି ସ୍କୁଲ ତରଫରୁ ମିଳିଥିବା ୟୁନିକ୍‌ ଷ୍ଟୁଡେଣ୍ଟ ଆଇଡି ମଧ୍ୟ ଫର୍ମ ପୂରଣ ସମୟରେ ଦେବା ବାଧ୍ୟତାମୂଳକ କରାଯାଇଛି। ନାମଲେଖା ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ ଫ୍ରି ନମ୍ବର (୧୫୫୩୩୫, ୧୮୦୦୩୪୫୬୭୭୦)ରେ ଛାତ୍ରୀଛାତ୍ର ଯୋଗାଯୋଗ କରିପାରିବେ। ସେହିଭଳି odishacareerportal.comରେ ଛାତ୍ରୀଛାତ୍ର ନିଜ କ୍ୟାରିୟର ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇପାରିବେ। ଉଚ୍ଚଶିକ୍ଷା ପାଇଁ କେଉଁ କ୍ୟାରିୟର ବାଛିବେ, କେଉଁଠି ପଢ଼ିବେ ସେସବୁ ତଥ୍ୟ ନିଜର ଲଗ୍‌ ଇନ୍‌ ଆଇଡି ଦେଇ ପାଇପାରିବେ। ଆବଶ୍ୟକ ପଡ଼ିଲେ ଯୁକ୍ତ୨ରେ ସିଟ୍‌ ସଂଖ୍ୟା ବଢ଼ାଯିବ। ସେପ୍ଟେମ୍ବର ପହିଲାରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ପାଇଁ ଯୋଜନା ଚାଲିଥିବା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ର଼୍ୟାଗିଂ ବନ୍ଦ ଉପରେ ଗୁରୁତ୍ୱ ଦେଇଛି। କୌଣସି ଛାତ୍ରୀଛାତ୍ର ଯଦି ର଼୍ୟାଗିଂର ଶିକାର ହୁଅନ୍ତି, ତା’ହେଲେ ନିଜ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି।

Related Articles

Back to top button