ଉତ୍ତର ଓଡ଼ିଶା​ରେ ବନ୍ୟା ବିପର୍ଯ୍ୟୟ

ବାଲେଶ୍ବର ଓ ମୟୂରଭଞ୍ଜବାସୀଙ୍କ ଦୁର୍ଦଶା ଅକଥନୀୟ, ବିପଦ ଟଳିନି: ମନ୍ତ୍ରୀ ପାଣିଘେରରେ ଦୁଇ ଜିଲାର ୪୪୭ ଗାଁ, ୨୪୮୯ ଗାଁର ୯ .୬୭ ଲକ୍ଷ ଲୋକ ପ୍ରଭାବିତ ବାଲିଆପାଳ-କମର୍ଦା ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ୱର : ଲଘୁଚାପ ବର୍ଷା ସହ ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ ପାଣି ଉତ୍ତର ଓଡ଼ିଶା​ରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ସାଳନ୍ଦୀ ଓ ବୈତରଣୀ ସମେତ ଏକାଧିକ ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ଉତ୍ତର ଓଡ଼ିଶାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। କେବଳ ସୁର୍ଣ୍ଣରେଖାରେ ବନ୍ୟା ଆସି ବାଲେଶ୍ବର ଜିଲାର ବାଲିଆପାଳ, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର ସଦର ଓ ରେମୁଣା ସମେତ ୬ରୁ ଅଧିକ ବ୍ଲକ୍‌ର ୮୩ଟି ପଞ୍ଚାୟତର ୧୫୩ଟିରୁ ଅଧିକ ଗାଁ ଜଳବନ୍ଦୀ ହୋଇପଡିଥିବା ସରକାରୀ ରିପୋର୍ଟରେ ସୂଚନା ଦିଆଯାଇଛି। ମାତ୍ର ସୁବର୍ଣ୍ଣରେଖା ବନ୍ୟାରେ ବାଲେଶ୍ବର ଜିଲାର ୪୨୯ ଓ ମୟୁରଭଞ୍ଜ ଜିଲାର ୧୮ଟି ଗାଁକୁ ମିଶାଇ ମୋଟ ୪୪୭ଟି ଗାଁ ଗତକାଲି ସୁଦ୍ଧା ଜଳବନ୍ଦୀ ହୋଇପଡିଥିଲା। ଏପରିକି ମୟୂରଭଞ୍ଜର ସାରସକଣା ଓ ରାସଗୋବିନ୍ଦପୁର ବ୍ଲକ୍‌ରେ ବନ୍ୟାପାଣି ପଶି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ବ୍ୟାପକ ଚାଷଜମି ଓ ପନିପରିବା କ୍ଷେତରେ ବନ୍ୟାପାଣିରେ ଉବୁଟୁବୁ ହେଉଛି। ଆସନ୍ତାକାଲିଠାରୁ ପୁଣି ଲଘୁଚାପ ପ୍ରଭାବରେ ଦୁଇ ଜିଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାରୁ ବନ୍ୟାକ୍ଲିଷ୍ଟଙ୍କ ଦୁର୍ଦ୍ଦଶା ବଢିବା ଆଶଙ୍କା ରହିଛି। ଏପରିକି ୨୭ ତାରିଖରେ ଅମାବାସ୍ୟା ପଡୁଥିବାରୁ ସମୁଦ୍ର ଜୁଆର ଯୋଗୁଁ ବନ୍ୟା ପାଣି ଖସିବା ଏକପ୍ରକାର ସମସ୍ୟା ବଢାଇପାରେ।
ସୁବର୍ଣ୍ଣରେଖା ନଦୀର ପ୍ରବଳ ସୁଅରେ ବାଲିଆପାଳ ବ୍ଲକ ବଡ଼ତାଳପଦା ଗାଁ ନିକଟରେ ଜଣେ ମହିଳା ରତନୀ ମଙ୍ଗରାଜ(୩୫) ଭାସି ଯାଇ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଜଳକା ନଦୀର ଜଳେଶ୍ୱର କୋଟପୋଲଠାରୁ ରାଉତପଡା ରାସ୍ତାରେ ପଳାସିଆ ଗ୍ରାମର ଜଣେ ୧୩ ବର୍ଷ ବୟସ୍କ ଅଷ୍ଟମଶ୍ରେଣୀ ଛାତ୍ର ଚିନ୍ମୟ ମହାପାତ୍ର ଭାସିଯାଇ ନିଖୋଜ ଅଛନ୍ତି। ଏନ୍‌ଡ଼ିଆରଏଫ୍ ଓ ଓଡ୍ରାଫ ଟିମ୍‌ ନଦୀପଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳିନି। ବାଲିଆପାଳରେ ଦୁଇଟି ଗାଡ଼ି ଭାସିଯାଇଛି। ସୁବର୍ଣ୍ଣରେଖାର ବିପଦ ସଙ୍କେତ ରାଜଘାଟଠାରେ ୧୦.୩୬ ମିଟର ରହିଥିବାବେଳେ ଏବେ ୧୧.୮୮ ମିଟର ଉପରେ ଚାଲିଛି। ୧୨ଘଣ୍ଟା ମଧ୍ୟରେ ଏଠାରେ ଜଳସ୍ତର ୪ ମିଟର ବଢ଼ିଛି। ତେବେ ଧୀରେ ଧୀରେ ଜଳ ସ୍ତର ଖସୁଛି। ସୁବର୍ଣ୍ଣରେଖା ନଦୀର ଉଭୟ ପାର୍ଶ୍ବ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବାଲେଶ୍ବର ଓ ମୟୂରଭଞ୍ଜର ବହୁ ଗ୍ରାମ ଜଳମଗ୍ନ ହୋଇଥିବାବେଳେ ଅଧିକାଂଶ ଲୋକଙ୍କ ଘରେ ପାଣି ପଶି ଯାଇଛି। ସେମାନେ ସରକାରୀ ବିଦ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଦୁଇ ଜିଲାରୁ ୪୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆଉ କେତେକ ଭିଟାମାଟି ନ ଛାଡି ପଲିଥିନ୍ ତଳେ ଜୀବନ କାଟୁଛନ୍ତି। ଗାଈଗୋରୁ, ଛେଳି, ମେଣ୍ଢା ପ୍ରଭୃତି ଗୃହପାଳିତ ପଶୁଙ୍କ ଅବସ୍ଥା ଅଧିକ ଚିନ୍ତା ବଢାଇଛି। ସରକାର ‘ଶୂନ୍‌ ମୃତ୍ୟୁ’ ଉପରେ ଗୁରୁତ୍ବ ଦେଉଥିଲେ ହେଁ ଦୁଇଦିନ ତଳେ ୬ଜଣଙ୍କ ମୃତ୍ୟୁ ଘଟିବା ଓ ୨ଜଣ ନିଖୋଜ ରହିଛନ୍ତି। ଏନେଇ ରବିବାର ଏସଆରସି ପ୍ରଦୀପ ଜେନାଙ୍କୁ ପ୍ରଶ୍ନ କରାଯିବାରେ ସେ କହିଥିଲେ ଯେ, କୌଣସି ନୂତନ ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।
ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ନଦୀର ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୋମବାର ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଗତ ୮ ଘଣ୍ଟା ଧରି ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ରହିଛି। ଆଉ ୨୪ ଘଣ୍ଟା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ରାତିରେ ନଦୀର ଜଳସ୍ତର ବଢ଼ୁଛି କି ନାହିଁ ତାହା ଉପରେ ନଜର ରଖାଯାଇଛି।
ସେ କହିଛନ୍ତି ଯେ, ଜାମଶୋଳାଘାଟରେ ବିପଦସଂକେତ ୪୯.୧୫ ମିଟର ଥିବା ବେଳେ ଏବେ ୪୯.୭୨ ମିଟର ଜଳ ସ୍ତର ରହିଛି। ବାଲିଆପାଳ, ବସ୍ତା ଭୋଗରାଇର ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିଛି। ସେ ସବୁ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ କରାଯାଉଛି। ଜଣେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ନଦୀବନ୍ଧ ଉପରେ ବିଭିନ୍ନ ଅଧିକାରୀ ସତର୍କ ଦୃଷ୍ଟି ରଖିଛନ୍ତି। ଅଦ୍ୟାବଧି କୌଣସି ଘାଇ ହୋଇ ନଥିବା କୁହାଯାଉଛି। ବାଲେଶ୍ୱରର ଗଡ଼ାପୋଲ ନିକଟ ରାସ୍ତାରେ ୩ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ ବାଲିଆପାଳ-କମର୍ଦା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ବାଲିଆପାଳ ବ୍ଲକର ୨୫ ଗାଁ ପାଣି ଘେରରେ ଥିବାବେଳେ ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ଅତିରିକ୍ତ ଉଦ୍ଧାରକାରୀ ଦଳ ପଠାଯାଇଛି। ଦୁଇ ଜିଲାକୁ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ଟି ଉଦ୍ଧାରକାରୀ ଦଳ ପଠାଯାଇଥିବା ଶ୍ରୀମତୀ ସାହୁ କହିଛନ୍ତି।
ଏହି ଅବସରରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ, ମଧ୍ୟାହ୍ନ ପରଠୁ ଜଳସ୍ତର କମିବା ଆରମ୍ଭ କରିଛି। ବନ୍ୟାର ସ୍ଥିତି ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଅନ୍ୟ ନଦୀଗୁଡ଼ିକରେ ଜଳସ୍ତର କମୁଛି। ଝାଡ଼ଖଣ୍ଡରୁ ପାଣି କମିଛି। ସର୍ବୋଚ୍ଚ ବନ୍ୟାଜଳ ପ୍ରବାହ(ପିକ୍ ଫ୍ଲଡ୍‌) ଅତିକ୍ରମ କରିସାରିଛି। ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜ୍‌ରୁ ୧୨ଟି ଫାଟକ ଦେଇ ପାଣି ସୁବର୍ଣ୍ଣରେଖାରେ ୨ଲକ୍ଷ ୫୦ହଜାର କ୍ୟୁସେକ ପାଣି ପ୍ରବେଶ କରୁଥିବା ଏସଆରସି ଶ୍ରୀ ଜେନା କହିଛନ୍ତି। ସୁବର୍ଣ୍ଣରେଖାରେ ବନ୍ୟା ନିୟନ୍ତ୍ରଣ ପାଇଁ ନଦୀବନ୍ଧ କରିବାକୁ ଅନୁଧ୍ୟାନ କରାଯାଉଛି,ସେ ଦିଗରେ ତଦନ୍ତ ବି ଚାଲିଛି। ଝାଡ଼ଖଣ୍ଡ ଚାନ୍ଦିଲି ନଦୀବନ୍ଧରୁ ପାଣି ଆସି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ତ୍ବରାନ୍ବିତ କରିବାକୁ ରହିଛି।
ଅନ୍ୟପକ୍ଷରେ ଅନୁଗୋଳ ଜିଲା କଣିହା ବ୍ଳକ୍‌ ରେଙ୍ଗାଲି ଜଳଭଣ୍ଡାର ଆଜି ପ୍ରଥମ ବନ୍ୟାଜଳ ଛାଡିଛି। ଗୋଟିଏ ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ ଉପରମୁଣ୍ଡରୁ ଅଧିକ ବନ୍ୟାଜଳ ପ୍ରବେଶ କରୁଥିବାରୁ ମଧ୍ୟାହ୍ଣ ସୁଦ୍ଧା ଜଳ ଭଣ୍ଡାରର ଜଳଧାରଣ ସ୍ତର ୧୨୨.୧୧ ମିଟର ପହଞ୍ଚିବାରୁ ଏହାର ଫାଟକ ଖୋଲାଯାଇଛି। ଫଳରେ ବ୍ରାହ୍ମଣୀରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି।
ଅନ୍ୟପକ୍ଷରେ ମହାନଦୀ ବନ୍ୟାରେ ଏବେ ବି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ଶହ ଶହ ଗାଁ ଜଳବନ୍ଦୀ ରହିଛନ୍ତି। ଇତିମଧ୍ୟରେ ୧୩ ଜିଲାର ୭୮ ବ୍ଳକ୍‌ ୬୪୫ ପଞ୍ଚାୟତର ୨୪୮୯ ଗାଁର ୯ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ବି ୯୦୨ ଗାଁର ୬ ଲକ୍ଷ ୪୦ ହଜାର ଲୋକ ପାଣିଘେରରେ ରହିଥିବା ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

Related Articles

Back to top button