ଭୁବନେଶ୍ୱର ଏମ୍ସରେ ଯୋଡ଼ା ହେଲା ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥିବା ହାତ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତ ଫେରି ପାଇଲେ ଯୁବତୀ । ପ୍ରାୟ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଭୁବନେଶ୍ୱର ଏମ୍ସ ଡାକ୍ତର ଦଳ ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥିବା ବାମ ହାତକୁ ଯୋଡ଼ିଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରି ପାଇଛନ୍ତି । ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଦ୍ୱାରା ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତାର ସହିତ ଯୋଡ଼ା ହୋଇଛି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ବର୍ଷାଙ୍କ ବାମ ହାତ ।

ଚଳିତ ମାସ ୯ ତାରିଖ ରାତି ପ୍ରାୟ ୯ ଟା ସମୟରେ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିଥିଲେ ବର୍ଷା । ହସ୍ପିଟାଲ ଆସିବା ସମୟରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବରେ ଛିଡ଼ି ଯାଇଥିଲା । ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଧାନ କୁଟା ମେସିନରେ କାମ କରୁଥିବା ବେଳେ ଅପରାହ୍ଣ ପ୍ରାୟ ୪ଟା ସମୟରେ ଅସାବଧାନତାବଶତଃ ହାତ ପଶି ଯାଇ ଅଘଟଣ ଘଟିଥିଲା । ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଛିଡ଼ି ଯାଇଥିବା ହାତର ଅଂଶକୁ ଏକ କପଡ଼ାରେ ଗୁଡ଼ାଇ ଏକ ବରଫ ଥଳିରେ ରଖି ଏମ୍ସକୁ ଅଣା ଯାଇଥିଲା ।

ବର୍ଷାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତୁରନ୍ତ ପ୍ରତିରୋପଣ କରିବାର ଯୋଜନା କରିଥଲେ। ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରିଙ୍କ ନେତୃତ୍ବରେ ଅସ୍ଥିଶଲ୍ୟ ଏବଂ ନିଶ୍ଚେତକ ବିଭାଗର ଡ଼ାକ୍ତରମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଟିମ୍ ଗଠନ କରାଯାଇ ହାତ ପ୍ରତିରୋପଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଦଳରେ ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗର ଡ. ଶାନ୍ତନୁ ସୁବା, ଡ. ପ୍ରିୟଙ୍କା ପନ୍ତ, ଡ. ଆକାଂକ୍ଷା ରାଜପୁତ, ଡ. ବିଷ୍ଣୁ ପ୍ରମୁଖ ରହିଥିବା ବେଳେ ଅସ୍ଥିଶଲ୍ୟ ବିଭାଗରୁ ଡ. ନିଖିଲ ଏବଂ ଡ. ମନୋଜ, ନିଶ୍ଚେତକ ବିଭାଗରୁ ଡ. ଜୟନ୍ତ ମିତ୍ର, ଡ. ହୃଷୀକେଶ ଏବଂ ଡ. ଶୈଳଯା ସାମିଲ ଥିଲେ। ନର୍ସିଂ ଅଧିକାରୀ ବାବୁଲାଲ ଏବଂ ଜସୱନ୍ତ ସିଂ ପ୍ରମୁଖ ସହଯୋଗ କରିଥିଲେ ।

Related Articles

Back to top button