ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟ ହେଲା ପେପର ଲେସ୍‌

କଟକ: ଏଣିକି ଜିଲ୍ଲା ଜଜ କୋର୍ଟ ମାନଙ୍କରେ ଆଉ ବିଶେଷ ମାତ୍ରାରେ ନଥିପତ୍ର ଆଦି ଦେଖିବାକୁ ମିଳିବନି । କାରଣ ଆଜି (ଶନିବାର) ଠାରୁ ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟ ଗୁଡ଼ିକୁ ପେପର ଲେସ କରାଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏହି ବ୍ୟବସ୍ଥାକୁ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ।

କଟକ ସ୍ଥିତ ଜୁଡ଼ିସିଆଲ୍ ଏକାଡେମୀ ପରିସରରେ ଏନେଇ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁଠି ସୁପ୍ରିକୋର୍ଟ ବିଚାରପତି ଜଷ୍ଟିସ ଡି ୱାଈ ଚନ୍ଦ୍ରଚୁଡ, ଜଷ୍ଟିସ ଏମ୍ ଆର ସାହା, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ ମୂରଲୀଧର ପ୍ରମୁଖ ଯୋଗଦେଇ ନୂଆ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ସମସ୍ତଙ୍କୁ ଅପିଲ କରିଛନ୍ତି ।

ନୂଆ ବ୍ୟବସ୍ଥାର ଲୋକାର୍ପଣ କରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ କହିଛନ୍ତି, “ମହାମାରୀ କୋରୋନା ଯୋଗୁଁ ପେପର ଲେସ ବ୍ୟବସ୍ଥା ସହ ବିଶେଷ ଭାବେ ପରିଚିତ ହୋଇଛି ଦେଶ । ଏଣୁ ପରିବର୍ତ୍ତିତ ପରିବେଶ ସହିତ ଖାପ ଖୁଆଇ ଚଳିବାର କଳା ସମସ୍ତେ ଶିଖିବା ଉଚିତ । ତେବେ ଅଦାଲତ ଗୁଡ଼ିକ ପେପର ଲେସ ହୋଇପାରିଲେ ଅଦାଲତଙ୍କ ସମୟ ବଞ୍ଚିବ । ସେହିପରି ମହକିଲ ମାନେ ଅଯଥା ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ ଏବଂ ଆଇନଜୀବି ମାନେ ଅଧିକ ମାତ୍ରାରେ ଉପକୃତ ହୋଇପାରିବେ ।”

ଓଡ଼ିଶା ହାଇକୋର୍ଟ ସ୍ଥାପନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ସ୍ଵତନ୍ତ୍ର ଡାକ ଟିକଟ ପ୍ରଚଳନ କରାଯାଇଛି । ଏହାକୁ ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ । ଗତବର୍ଷ ଓଡ଼ିଶା ବିଧାନସଭା ମଧ୍ୟ ପେପରଲେସ ହୋଇଥିଲା । ନେଭା ଆପ୍‌ରେ ବିଧାନସଭାର ସମସ୍ତ କାର୍ଯ୍ୟ କରାଯାଇଥିଲା । ବିଧାନସଭାର ବିଭିନ୍ନ ରିପୋର୍ଟ, ସିଏଜି ରିପୋର୍ଟ, ଅର୍ଥନୈତିକ ସର୍ଭେ ରିପୋର୍ଟ, ବଜେଟ ଏବଂ ତାରକା ଓ ଅଣ ତାରକା ପ୍ରଶ୍ନ ମଧ୍ୟ କାଗଜ ବିହୀନ ହୋଇଥିଲା । ପରିବେଶର ସୁରକ୍ଷା ଓ ଶୀଘ୍ର ରାୟ ଶୁଣାଇବା ଉଦ୍ଦେଶ୍ୟରେ କୋର୍ଟକୁ ପେପରଲେସ କରାଯାଇଛି ।

Related Articles

Back to top button