
ସ୍କୁଲରେ ବାହା ହେଲେ ଶିକ୍ଷକ, ଥାନାରେ ଏତଲା ଦେଲେ ପ୍ରଥମ ସ୍ତ୍ରୀ
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଜଣେ ଶିକ୍ଷକ ସେହି ସ୍କୁଲରେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା ହେଉଛି। ସ୍କୁଲରେ ପାଠପଢ଼ା ସମୟରେ ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପସ୍ଥିତିରେ ଜଣେ ଯୁବତୀଙ୍କ ସହ କେକ୍ କାଟି ଫୁଲମାଳ ଆଦାନପ୍ରଦାନ କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଶିକ୍ଷକଙ୍କ ପ୍ରଥମ ସ୍ତ୍ରୀ ଏ ନେଇ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ୨୦୦୩ରେ ଶିକ୍ଷକ ଜଣକ ପ୍ରଥମ ବିବାହ କରିଥିଲେ। ୩ ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହେବାରୁ ପାରିବାରିକ ଅଶାନ୍ତି ଆରମ୍ଭ ହୋଇଥିଲା। ସ୍ତ୍ରୀଙ୍କୁ ସେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ପରେ ଶିକ୍ଷକ ବାଲିଗୁଡା କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କୋର୍ଟରେ ମାମଲା ଚାଲିଥିବା ବେଳେ ସେ ଜଣେ ଯୁବତୀଙ୍କୁ ଭଲ ପାଇ ତାଙ୍କୁ ଗତ ୬ତାରିଖରେ ସ୍କୁଲରେ ବିବାହ କରିଥିବା ଚର୍ଚ୍ଚା ହେଉଛି। ପ୍ରଥମ ସ୍ତ୍ରୀ ଏହି ଖବର ପାଇ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି। ଏ ନେଇ ନଂ.୨୧/୨୩ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବାବା ଶଙ୍କର ଶରାଫ ସୂଚନା ଦେଇଛନ୍ତି। ଏ ନେଇ ଦାରିଙ୍ଗବାଡି ବିଇଓ ରସାନନ୍ଦ କରଙ୍କ ସହ ଯୋଗାଯୋଗ କରିବାରୁ ଭାଇରାଲ ହେଉଥିବା ଭିଡିଓ ଆଧାରରେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।