୭,୫୪୦ ଶିକ୍ଷକ ଙ୍କୁ ମିଳିବ ନିଯୁକ୍ତି, ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ହେବ
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମିତ୍ତ ମୋଟ ୨୨ ହଜାର ୫ ଶହ ୨୮ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମିତ୍ତ ମୋଟ ୨୨ ହଜାର ୫ ଶହ ୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦ୍ବାରା ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଅଗ୍ରାଧ୍ୟାକାର ଭିଭିରେ ପୂରଣ କରିବା ପାଇଁ ଆମ ସରକାର ଗୁରୁତ୍ଵ ଦେଉଛନ୍ତି। ଗତବର୍ଷ ୧୧ ହଜାର ୪ ଶହ ୩ ଜଣ ମାଧ୍ୟମିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାବ୍ୟତୀତ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପଦବୀ ପୂରଣ କରିବା ନିମନ୍ତେ, କ୍ୟାବିନେଟ ୬ ହଜାର ୨୫ ଟି LTR ପଦବୀ ସୃଷ୍ଟି କରିବାକୁ ଅନୁମୋଦନ ଦେଇଛନ୍ତି । ଏଥ୍ସହ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଆମେ ୭ ହଜାର ୫ ଶହ ୪୦ ଜଣ ନିୟମିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛୁ । ଏତଦ୍ ବ୍ୟତୀତ ୧ ହଜାର ୭ ଶହ ୯୯ ଟି କନିଷ୍ଠ ସହାୟକ ଓ ୩ ଶହ ୩୫ଟି PGT ଶିକ୍ଷକ ନିଯୁକ୍ତି ନିମନ୍ତେ ପଦକ୍ଷେପ ନିଆଯାଉଛି।
ଏହାବ୍ୟତୀତ ୧ଶହ ୬ ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଅଧାରୁ ପାଠ ଛାଡିବା ହାରକୁ ନିୟନ୍ତ୍ରଣ କରିବା ତଥା ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପାଇଁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ଟୋଲ ଓ ମଦ୍ରାସାରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଣ ପାଇଁ ‘ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା’ କାର୍ଯ୍ୟକାରୀ କରାଯାଇଛି । ବର୍ତ୍ତମାନ ପ୍ରଚଳିତ ୨ ହଜାର ୬ ଶହ ଟଙ୍କାର ସହାୟତା ରାଶିକୁ ବୃଦ୍ଧି କରି ୨୦୨୩-୨୪ ଆର୍ଥିକ ବର୍ଷଠାରୁ ୩ ହଜାର ୫ ଶହ ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ରହିଛି ।
ଏଥିପାଇଁ, ୨୦୨୩-୨୪ ଆର୍ଥିକ ବର୍ଷରେ ୧ ଶହ ୫୫ କୋଟି ଟଙ୍କାର ବ୍ୟୟବରାଦ କରିଯାଇଛି । ୨୦୨୩-୨୪ ରେ ସ୍କୁଲ ୟୁନିଫର୍ମ ଓ ଆନୁଷଙ୍ଗିକ ସାମଗ୍ରୀର ବ୍ୟବସ୍ଥା ପାଇଁ ସହାୟତା ରାଶିକୁ ୬ ଶହ ଟଙ୍କାରୁ ୧ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । ଏହାବ୍ୟତୀତ, ୨୦୨୩-୨୪ରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ସହ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ।