୧୮ ତାରିଖ ପରେ ସାମାନ୍ୟ ହ୍ରାସ ପାଇବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ସହ ଶୁଖିଲା ପାଗ ଲାଗି ରହିଛି । ଆଗାମୀ ୪ରୁ ୫ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ରାତି ତାପମାତ୍ରା ୪ରୁ ୫ ଦିନ ଯାଏ ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଯାଏ କମ ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୧୭ ଓ ୧୮ ତାରିଖ ୨ ଦିନ କଳାହାଣ୍ଡି, କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ବେଳେ ୧୮ ତାରିଖ ଯାଏ ଏଭଳି ଶୀତ ଲହରୀ ଜାରି ରହିବ । ୧୮ ତାରିଖ ପରେ ୨ରୁ ୩ ଦିନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ସହ ଶୀତ ସାମାନ୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛନ୍ତି ସାମୁଦ୍ରିକ ବିଜ୍ଞାନ ଛାତ୍ର ବିଶ୍ୱଜିତ୍ ସାହୁ । ତାଙ୍କ ଆକଳନ ଅନୁସାରେ, ନଭେମ୍ବର ୨୩ ବେଳକୁ ରାଜ୍ୟରେ ଆଉ ଏକ ଶୀତ ଲହରୀ ଆରମ୍ଭ ହେବ । ଯାହା ପ୍ରଭାବରେ ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ।

ଆଜି କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା ଠାରେ ଚଳିତ ମାସର ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ ହୋଇଛି । ଆଜି ରାଜ୍ୟର ୯ଟି ସ୍ଥାନରେ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଥିଲା । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୮ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀ ଓ କୋରାପୁଟରେ ୧୦ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ ରେକର୍ଡ କରାଯାଇଛି ।

Related Articles

Back to top button