
ବର୍ଷାରେ ଭାଙ୍ଗିଲା କେରପାଇ-କାଚେଲେଖା ଅସ୍ଥାୟୀ ପୋଲ
କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକରେ ଚଳିତ ବର୍ଷର ପ୍ରଥମ ଏବଂ ପ୍ରବଳ ବର୍ଷା ଯୋଗୁଁ ଶନିବାର କେରପାଇ ଗ୍ରାମ ପଞ୍ଚାୟତ ଅଧିନ କେରପାଇ-କାଚେଲେଖା ମଧ୍ୟରେ ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲଟି ସମ୍ପୂର୍ଣ୍ଣ ଭାବରେ ଧୋଇଯାଇଛି। ଫଳରେ କାଚେଲେଖା, କୁଟୃମାଳି ଏବଂ ପୋଡାପାଇ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଅବା ସେବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ବର୍ଷା ଋତୁର ଆରମ୍ଭରୁ ଏଭଳି ସ୍ଥିତି ହୋଇଥିବା ବେଳେ ଆଗକୁ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା ରହିଛି। ଏହି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅଞ୍ଚଳ ବାସୀ ବାରମ୍ବାର ପ୍ରଶାସନ ପାଖରେ ଦାବି କରିଛନ୍ତି।
କେରପାଇ ଠାରୁ କାଚେଲେଖାକୁ ଗମନାଗମନ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨ କିଲୋମିଟରର ସଡକ ନିର୍ମାଣ ହୋଇସାରିଛି। ହେଲେ କେରପାଇ ଏବଂ କାଚେଲେଖା ମଧ୍ୟରେ ସଂଯୋଗ ପାଇଁ ବାଧକ ଥିବା ନଦୀ ଉପରେ ପୋଲ ନିର୍ମାଣ ନହେବା ବିଡମ୍ବନାର ବିଷୟ। କେରପାଇ, ମେଲରଫା, ଚିମିରାଙ୍ଗ ପଦର, ପିଣ୍ଡାପଦର, ସର୍ଗିପଦର ଏଭଳି ଏହି ପଞ୍ଚାୟତର ଅନେକ ଛାତ୍ର ଛାତ୍ରୀ କାଚେଲେଖା ସ୍ଥିତ ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥାନ୍ତି। ଅନ୍ୟ ପକ୍ଷରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ଯେକୌଣସି କାର୍ଯ୍ୟ ନେଇ ଆସିବାକୁ ଥିବା ନଦୀ ଆର ପାରିରେ ରହିଥିବା କାଚେଲେଖା, କୁଟୃମାଳି ଏବଂ ପୋଡାପାଇ ଗ୍ରାମର ଗ୍ରାମବାସୀଙ୍କ ପାଇଁ ମଧ୍ୟ ଏହି ନଦୀ ବିପଦ ସୃଷ୍ଟି କରିଥାଏ । କିନ୍ତୁ ଅଞ୍ଚଳବାସୀ ଭାବିଥିଲେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏସବୁ ଅଞ୍ଚଳ ପାଇଁ ଗମନାଗମନର ସୁବ୍ୟବସ୍ଥା ହେଇଯିବ।କିନ୍ତୁ ସ୍ବପ୍ନ ଅଧୁରା ରହିଯାଇଛି । ପାଠପଢା ଛୁଆଙ୍କ କଥା ହେଉ ଅବା ଅତ୍ୟାବଶ୍ୟକ ସେବା ପାଇବା ପାଇଁ ଅନେଇ ରହିଥିବା କାଚେଲେଖା, କୁଟୃମାଳି ଏବଂ ପୋଡାପାଇ ଗ୍ରାମବାସୀଙ୍କ ବିଷୟ ହେଉ ଏହି ନଦୀ ଏକ ବଡ ସମସ୍ୟା ଭାବେ ରହିଯାଇଛି।