ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ ବନ୍ଧ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି
ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । କଣ୍ଟାଟିକ୍ରା ଓ ଶରଧାପାଲି ଗାଁ ନିକଟରେ ପାଉଁଶ ପୋଖରୀ ହିଡ଼ ଭାଙ୍ଗି ଚାଷଜମି ଓ ଆଖପାଖ ଅଞ୍ଚଳରେ ମାଡ଼ି ଯାଇଛି । ବ୍ୟାପକ ଫସଲ ନଷ୍ଟ ସହ ପରିବେଶ ପ୍ରଦୂଷଣ ଆଶଙ୍କା କରାଯାଉଛି ।
ପାଉଁଶ ପୋଖରୀ ଭାଙ୍ଗିବା ପରେ ଗାଁରେ ଅସନ୍ତୋଷ । ଓପିଜିସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆସପଣ୍ଡ ମରାମତି କରାଯାଉଛି । ଓପିଜିସି କର୍ତ୍ତୃପକ୍ଷ କ୍ଷୟକ୍ଷତି ଆକଳନ କରୁଛନ୍ତି ।ସକାଳ ୬ଟାରୁ ୮ଟା ମଧ୍ୟରେ ଏହି ଅଘଟଣ ଘଟିଛି । ପାଉଁଶ ପାଣି ହିଡ଼ ଭାଙ୍ଗି ପ୍ରାୟ ୧୦ ଏକର ଚାଷ ଜମିରେ ମାଡି ଯାଇଛି । ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ସ୍ଥାନୀୟ ଲୋକ ଓ ଓପିଜିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଦାବି ନେଇ ଏହି ଆଲୋଚନା କରାଯାଉଛି ।
ସୂଚନାଯୋଗ୍ୟ, କିଛିଦିନ ହେବ ହିଡ଼ରୁ ପାଉଁଶ ପାଣି ଲିକ୍ ହେଉଥିଲା । ଏନେଇ ସ୍ଥାନୀୟ ଲୋକେ ଓପିଜିସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ମରାମତି କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି ।