
ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ଜଳ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ବିଜେଡି ଟିମ୍।
ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର କିଛି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେଉଛି। ଆନ୍ଦୋଳନ ପାଇଁ କସରତ ଆରମ୍ଭ କରିଦେଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ଜଳ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ବିଜେଡି ଟିମ୍। ଦିଲ୍ଲୀରେ ଓଡ଼ିଶାର ସ୍ବରକୁ ଶାଣିତ କରିଛି ବିଜେଡି। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖିବାକୁ ଦାବି କରିଛି ଦଳ। କାରଣ ପ୍ରକଳ୍ପ ହେଲେ ମାଲକାନଗିରିର ଅନେକ ଗାଁ ଜଳମଗ୍ନ ହେବ। ମାନଚିତ୍ରରୁ ଲିଭିଯିବ ମାଲକାନଗିରିର ଅନେକ ଗାଁ। ଆଜି ଏହି ପ୍ରତିନିଧି ଦଳ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି । ପୋଲାଭରମ ପ୍ରସଙ୍ଗକୁ ନେଇ ଆଗକୁ କଣ ରଣନୀତି ରହିବ, ସେ ନେଇ ପରାମର୍ଶ ଦେବେ ନବୀନ। ବିଜେଡି କହିଛି ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ ସ୍ଥିର ହେବ। ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲେ। ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଏଁ ବିଜେଡିର ୭ ଜାଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, କେନ୍ଦ୍ରୀୟ ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗ ଆଦିବାସୀ କମିସନଙ୍କୁ ଭେଟିଥିଲା। ଆଜି ସେ ସମ୍ପର୍କରେ ନବୀନଙ୍କୁ ଅବଗତ କରାଯାଇଛି। ଜାନୁଆରିରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ। ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି।