ବନ୍ୟା ସ୍ଥିତି ସମୀକ୍ଷା କରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଏବଂ ସମୁଦ୍ରକୁ ଜଳ ନିଷ୍କାସନ ନ ହୋଇପାରିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ବିଶେଷକରି ମାମଲକାନଗିରି ଜିଲ୍ଲାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାରୁ ଜଣାପଡ଼ିଛି। ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍‍ୱତନ୍ତ୍ର ରିଲିଫ କମିଶନର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଛନ୍ତି।ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମୁଦ୍ରକୁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁନଥିବାରୁ ବହୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଅନେକ ଜାଗା ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ ସମସ୍ୟା ମଧ୍ୟ ଘଟିଛି। ଓଡରାଫ୍, ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ଲୋକଙ୍କ ଅସୁବିଧାକୁ ତତ୍ପରତାର ସହ ଦୂର କରିବା ପାଇଁ ସେ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ରିଲିଫ ସାମଗ୍ରୀ ବ୍ୟାପକ ମାତ୍ରା ରେ ମହଜୁଦ ରଖି ପ୍ରଭାବିତ ଲୋକଙ୍କୁ ଯୋଗାଇବାପାଇଁ ସେ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୀକ୍ଷା ବେଳେ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ ୬ ଘଣ୍ଟା ମଧ୍ୟରେ ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ୫ ଟା ୩୦ ରେ ଉତ୍ତର ଛତିଶଗଡ଼ ଓ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାଉପରେ ୨୧.୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୩.୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ କେନ୍ଦ୍ରୀଭୂତ ହୋଇ ଝାରସୁଗୁଡ଼ା (ଓଡ଼ିଶା) ଠାରୁ ପ୍ରାୟ ୯୦ କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ସମ୍ବଲପୁର (ଓଡ଼ିଶା) ଠାରୁ ୭୦ କିଲୋମିଟର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ବିଳାସପୁର (ଛତିଶଗଡ଼) ଠାରୁ ୧୨୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଏବଂ ରାୟପୁର (ଛତିଶଗଡ଼) ଠାରୁ ୧୭୦ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ କେନ୍ଦ୍ରୀଭୂତ ହୋଇଛି ।ଏହା ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୦ ତାରିଖ ସନ୍ଧ୍ୟା ବେଳକୁ ଛତିଶଗଡ଼ ଓ ଏହାର ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

Related Articles

Back to top button