
ଟ୍ୱିନ ସିଟିରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଟ୍ୱିନ ସିଟିରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ବସିଥିବା ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ ଭିଡ଼ ହ୍ରାସ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି । ଟ୍ୱିନ ସିଟିର ଟ୍ରାଫିକ ଭିଡ ହ୍ରାସ ସହିତ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦେଇ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।ଏହା ଦ୍ୱାରା ୩୬୬ଟି ବିସ୍ଥାପିତ ପରିବାରଙ୍କୁ ଥଇଥାନ ସହିତ ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର ।
ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ କରିଡର ନିର୍ମାଣ ହେବ । ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ ଯୋଜନା ହୋଇଛି । ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ଏବଂ କଳ୍ପନା ଛକ, ମ୍ୟୁଜିଅମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଓଭର ନିର୍ମାଣ କରାଯିବ । ଏହା ସହିତ ଏଜି ଛକରେ ଏକ ଅଣ୍ଡରପାସ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । ସେହିପରି ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକସରୁ ପଥର ଗାଡିଆ – ଉତ୍କଳ ହସ୍ପିଟାଲ – ରେଲ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ ରୋଡ କାମ ମଧ୍ୟ ଜାରି ରହିଛି । ଏହା ସହିତ ଡମଣାରୁ ପ୍ରେସ ଛକ, କଳାରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ ଆକ୍ସେସ ରୋଡ ନିର୍ମାଣର ଯୋଜନା ରଖାଯାଇଛି ।
ଏହା ସହିତ ଏକ ଇନର ରିଙ୍ଗ ରୋଡ ମଧ୍ୟ ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସମସ୍ତ ନିର୍ମାଣ ଦ୍ୱାରା ଭୁବନେଶ୍ୱରରେ ଦିନ ପ୍ରତିଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ । ଏହାଦ୍ୱାରା ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହି ନିର୍ମାଣ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପ୍ରାୟ ୩୬୬ଟି ପରିବାରକୁ ଥଇଥାନ କରାଯିବ । ଏହା ସହିତ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାସ୍ୱତ ମିଶ୍ର,ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।