ମାଲକାନଗିରି ଓ କୋରାପୁଟର ସ୍ଥିତି ନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଲଗାଣ ବର୍ଷାରେ ମାଲକାନଗିରି ଓ କୋରାପୁଟର ସ୍ଥିତି ବେହାଲ । ଜଳବନ୍ଦୀ ବହୁ ଅଞ୍ଚଳ । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଲହଡି ମାରୁଥିବା ବେଳେ କିଛି ସ୍ଥାନରେ ଘର ଭାଙ୍ଗିବା ପରି ଖବର ଆସୁଛି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ବର୍ଷାଜନିତ କ୍ଷୟକ୍ଷତି ଉପରେ ଆଲୋଚନା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ ।
କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏସ୍ଆର୍ସିଙ୍କ ସମେତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ । ଏଥି ସହିତ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ପ୍ରାକ୍ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରିର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ ଦେବା ପାଇଁ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଲକାନଗିରି ଅଭିମୁଖେ ଗସ୍ତ କରିଛନ୍ତି ।