୨୦ ଦିନର ଝିଅକୁ ବିଷ ଦେଲା ବାପା
ନୀଳଗିରି: କନ୍ୟା ସନ୍ତାନ ଚାହୁଁ ନ ଥିବା ବାପା ନାରକୀୟ କାଣ୍ଡ ଭିଆଇଛି। ଶ୍ବଶୁର ଘରେ ପଶି ନିଜର ୨୦ଦିନର ଝିଅକୁ ମାରିଦେବାକୁ ଉଦ୍ୟମ କରିଛି। ଝିଅ ଦେହେରେ ବିଷ ଇଞ୍ଜେକସନ ଫୋଡ଼ି ହତ୍ୟା ଉଦ୍ୟମ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ଆଇସିୟୁରେ ଜୀବନ ସହ ଝିଅ ସଂଘର୍ଷ କରୁଛି। ନୀଳଗିରି ଥାନା ଶିଙ୍ଗିରି ଗାଁରେ ଘଟିଥିବା ଘଟଣାରେ ପିଶାଚ ବାପାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆସନ୍ତାକାଲି କନ୍ୟା ସନ୍ତାନର ଏକୋଇସିଆ ଉତ୍ସବ ପାଳନ ନିମନ୍ତେ ଅଜା ଘର ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଥିବା ବେଳେ ଏହି ଖୁସିକୁ ଦୁଃଖରେ ପରିଣତ କରିଦେଇଛି ଖୋଦ୍ ଜନ୍ମକଲା ବାପା।
ଶିଶୁର ଅଜା ଭାଗୀରଥି ସିଂହ କହିଛନ୍ତି ଯେ ତାଙ୍କ ଝିଅ ୨୦ ଦିନ ତଳେ ଏକ ଘରୋଇ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ତାଙ୍କ ଘରକୁ ଦେଖାରଖା ନିମନ୍ତେ ଆସିଥିଲେ। ଶିଶୁକୁ ଦେଖିବାକୁ ମଝିରେ ମଝିରେ ତାଙ୍କ ଘରକୁ ଜ୍ୱାଇଁ ଓ ଝିଅର ଶାଶୁ ଆସନ୍ତି। ହେଲେ କନ୍ୟା ଜନ୍ମ ହେବାକୁ ନେଇ ଜ୍ୱାଇଁ ଖୁସି ନ ଥିଲେ।
ଗତକାଲି ସନ୍ଧ୍ୟାରେ କନ୍ୟା ସନ୍ତାନକୁ ଦେଖିବାକୁ ଆସିଥିଲେ ଜ୍ୱାଇଁ। ଆଜି ସକାଳେ ଝିଅ ସ୍ନାନ କରିବାକୁ ଯାଇଥିବା ବେଳେ କନ୍ୟା ସନ୍ତାନକୁ ଜଗି ବସିଥିବା ଜ୍ୱାଇଁ ବିଷ ଇଞ୍ଜେକସନ୍ ଦେଇ ଦେଇଥିଲେ। କନ୍ୟା ସନ୍ତାନ କାନ୍ଦିବାରୁ ଦୌଡ଼ି ଆସି ଝିଅ ଦେଖିଥିଲା। ଏହି ସମୟରେ ବିଷ ତଳେ ବଡ଼ିଥିବା ଦେଖିବା ପରେ ଚିତ୍କାର କରିଥିଲା। ପରିବାର ଲୋକେ ଓ ଗାଁ ଲୋକେ ଜ୍ୱାଇଁକୁ ବହୁ ପଚରାଉଚରା କରିବା ପରେ ସେ ସତ ମାନିଥିଲା। ସେ କନ୍ୟା ସନ୍ତାନ ଚାହୁଁ ନ ଥିବାରୁ ବିଷ ଇଞ୍ଜେକସନ ଦେଇଥିବା କହିଥିଲା।