ସ୍ତ୍ରୀକୁ ଶାବଳରେ ପିଟି ମାରିଲା ସ୍ୱାମୀ
ପାରିବାରିକ କଳହର କରୁଣ ପରିଣତି। ଜଣେ ମହିଳାଙ୍କୁ ତାର ସ୍ୱାମୀ ଶାବଳରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ନାୟକ ସାହିରେ।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ହାଡୁ ଓ ତାଙ୍କ ସ୍ତ୍ରୀ ସୁରବକା ଉଭୟ କାମରୁ ଘରକୁ ଫେରିଥିଲେ। ପରେ ଘରେ ଟଙ୍କା ଖର୍ଚ୍ଚକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ପରେ ଉଗ୍ର ରୂପ ନେଇଥିଲା। ହାଡୁ ଉତ୍କ୍ଷିପ୍ତ ହୋଇ ଏକ ଶାବଳ ଆଣି ସୁରବକାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ସ୍ୱାମୀ ସ୍ତ୍ରୀଙ୍କ ପାଟିତୁଣ୍ଡ ଶୁଣି ପଡ଼ୋଶୀ ଲୋକେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସୁରବକା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ସେଠାରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳକୁ ଜବତ କରି ଘଟଣାର ତଦନ୍ତ କରୁଛି। ହାଡୁ ଓ ସୁରବକାଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା ବୋଲି ଗ୍ରାମବାସୀ କହିଛନ୍ତି।