ଲଘୁଚାପ ସକ୍ରିୟ ଥିବା କାରଣରୁ ପାଣିପାଗରେ ପରିବର୍ତ୍ତନ : ରାଜ୍ୟରେ ହେବ ବର୍ଷା
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଡିସେମ୍ୱର ୧୭ରୁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ଡିସେମ୍ୱର ୧୮ ବୁଧବାର ଦିନ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ସକ୍ରିୟ ଥିବା କାରଣରୁ ପାଣିପାଗରେ ପରିବର୍ତ୍ତନ ହୋଇଛି ।ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ସହ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଯଦିଓ ଆମ ରାଜ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ ତଥାବି କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ପ୍ରକୋପ ବଢିଥିବା ଦେଖିବାକୁ ମିଳୁଛି । ଆଗକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ଅଧିକ ଅନୁଭୂତ ହେବ ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ୧୭ ତାରିଖରୁ ରାଜ୍ୟ କିଛି ଜିଲ୍ଲାରେ ମେଘୁଆ ପାଗ ରହିବ । ୧୭ ତାରିଖରେ ରାଜ୍ୟର ୨ଟି ଜିଲ୍ଲା ଗଜପତି ଓ ଗଂଜାମରେ ବର୍ଷା ହେବାର ସମ୍ଭାବନା ଅଛି । ଦୁଇ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ୧୮ ତାରିଖ ଓ ୧୯ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଡିସେମ୍ବର ୧୯ ଗୁରବାର ଦିନ ଗଜପତି ସହ ଗଂଜାମ ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ଡିସେମ୍ୱର ପରଠାରୁ ରାଜ୍ୟରେ ପାଗ ଶୁଖିଲା ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।