ଓଡ଼ିଶାରେ ପିଲାମାନଙ୍କର ସ୍କୁଲ ପାଠପଢ଼ା ଛାଡ଼ିବା ସମ୍ପର୍କରେ ସ୍ପଷ୍ଟୀକରଣ ଦେଲା ଶିକ୍ଷା ମନ୍ତ୍ରଣାଳୟ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଡିଆଇଏସଇ ପ୍ଲସର ବିଶ୍ୱସନୀୟତା ଏବଂ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପିଲାମାନଙ୍କର ସ୍କୁଲ ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରୁ ଶିକ୍ଷା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ଯେ, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିକଟରେ ରାଜ୍ୟ ବିଧାନସଭାରେ ଓଡ଼ିଶାର ପିଲାମାନଙ୍କର ସ୍କୁଲ ଡ୍ରପ୍‌ଆଉଟ୍‌ ବା ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ବିବୃତି ରଖିଥିଲେ । ଏଥିରେ ସେ ଓଡ଼ିଶାରେ ୨୭.୩% ସ୍କୁଲ ଡ୍ରପଆଉଟ୍‌ ହାରକୁ ଖଣ୍ଡନ କରିବା ସହିତ ୟୁଡିଆଇଏସଇ ପ୍ଲସ ରିପୋର୍ଟ ଭରସାଯୋଗ୍ୟ ଏବଂ ବିଶ୍ୱସନୀୟ ନୁହେଁ ବୋଲି ଦର୍ଶାଇଥିଲେ।

ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶିକ୍ଷା ପାଇଁ ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ ବା ୟୁନିଫାଏଡ୍‌ ଡିଷ୍ଟ୍ରିକ୍ଟ ଇନଫର୍ମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ (ୟୁଡିଆଇଏସଇ ପ୍ଲସ) ତଥ୍ୟ କେବଳ ଭରସାଯୋଗ୍ୟ ନୁହେଁ ବରଂ ଦେଶରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକମାତ୍ର ସର୍ବଭାରତୀୟ ଓ ସବୁଠୁ ବିଶ୍ୱସନୀୟ ଡେଟାବେସ । ୟୁଡିଆଇଏସଇ ପ୍ଲସ ହେଉଛି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ୟତମ ସର୍ବବୃହତ ସୂଚନା ପରିଚାଳନା ବ୍ୟବସ୍ଥା । ଏହି ଡେଟାବେସରେ ୧୪.୮୯ ଲକ୍ଷରୁ ଅଧିକ ବିଦ୍ୟାଳୟ, ୯୫ ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ ଏବଂ ୨୬ କୋଟି ୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ସବୁ ରାଜ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ତଥ୍ୟ ସଂକଳନ ପ୍ରସ୍ତୁତ କରିଥାନ୍ତି ଏବଂ ଏହା ବ୍ଲକ/କ୍ଲଷ୍ଟରସ୍ତରୀୟ, ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ, ଏହିପରି ତ୍ରିସ୍ତରୀୟ ପ୍ରାମାଣିକରଣ/ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିଥାଏ। ଶେଷରେ ରାଜ୍ୟ ସ୍ତରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଏସପିଡି)ଙ୍କ ଦ୍ୱାରା ଏହି ତଥ୍ୟକୁ ଚୁଡ଼ାନ୍ତ ପ୍ରମାଣିତ କରାଯାଇଥାଏ। ସମ୍ପୃକ୍ତ ରାଜ୍ୟର ଏସପିଡିଙ୍କ ଦ୍ୱାରା ଥରେ ପ୍ରମାଣିତ ହେବା ପରେ ଏହି ତଥ୍ୟକୁ ରାଜ୍ୟ ଦ୍ୱାରା ଅନୁମୋଦିତ ହେଲା ବୋଲି ଧରାଯାଏ। ତେଣୁ, ସମ୍ପୃକ୍ତ ରାଜ୍ୟ ଦ୍ୱାରା ହିଁ ନିଜ ଆଡ଼ୁ ୟୁଡିଆଇଏସଇ+ ପୋର୍ଟାଲରେ ତଥ୍ୟ ପ୍ରଦାନ କରାଯାଇଛି ।

Related Articles

Back to top button