ଓଡ଼ିଶା ସମେତ ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି
ରାଜ୍ୟସଭାରେ ଖାଲି ପଡ଼ିଥିବା ଆସନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୨୧ ତାରିଖରେ ନାମାଙ୍କନ ଦାଖଲ କରିପାରିବେ । ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ସେହିପରି ଅଗଷ୍ଟ ୨୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖରେ ରହିଛି । ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇବ ।ଆସାମ, ବିହାର ଓ ମହାରାଷ୍ଟ୍ରରେ ୨ଟି ଲେଖାଏଁ ଆସନ ଖାଲି ରହିଥିବାବେଳେ ଓଡ଼ିଶା, ହରିୟାଣା, ମଧ୍ୟ ପ୍ରଦେଶ,ରାଜସ୍ଥାନ, ତ୍ରିପୁରା ଓ ତେଲେଙ୍ଗାନାରେ ଗୋଟାଏ ଲେଖାଏଁ ଆସନ ଖାଲି ପଡ଼ିଛି । ଓଡ଼ିଶାର ରାଜ୍ୟସଭା ସାଂସଦ ମମତା ମହାନ୍ତ ଇସ୍ତଫା ଦେବାପରେ ଗୋଟିଏ ଆସନ ଖାଲି ପଡ଼ିଛି । ମମତା ମହାନ୍ତ ବିଜେଡ଼ି ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ବିଜେପି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିପାରେ । ତେବେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟାକୁ ଦେଖିଲେ ବିଜେପି ଖାତାକୁ ଏହି ଆସନଟି ଯିବା ଏକ ପ୍ରକାର ନିଶ୍ଚିତ ।