ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୪ ମହଲାରୁ ଡେଇଁଲେ ରୋଗୀ, ଚାଲିଗଲା ଜୀବନ

ଢେଙ୍କାନାଳ: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଅଘଟଣ। ଗୁରୁବାର ଭୋର୍‌ ସମୟରେ ଦୁର୍ଯ୍ୟୋଧନ ନାୟକ (୫୦) ନାମକ ଜଣେ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଡେଇଁ ମୃତ୍ୟୁବରଣ କରିଛନ୍ତି। ଚିକିତ୍ସାରେ ଅବହେଳା ଓ ସୁରକ୍ଷା ଅଭାବରୁ ଏଭଳି ଘଟିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରଜଙ୍ଗ ଥାନା ଲୋଧଣୀ ଗ୍ରାମର ଦୁର୍ଯ୍ୟୋଧନ ଚଣ୍ଡିଖୋଲରେ ଏକ ହୋଟେଲରେ କାମ କରୁଥିଲେ। ବୁଧବାର ସେ ଅସୁସ୍ଥ ହେବାରୁ ନିଜ ଭଣଜାଙ୍କ ସହ ବସ୍‌ରେ ଗ୍ରାମକୁ ଯାଉଥିଲେ। ଢେଙ୍କାନାଳଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭଣଜା ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଦୁର୍ଯ୍ୟୋଧନଙ୍କୁ ଚିକିତ୍ସାଳୟର ୪ ମହଲାରେ ଥିବା ମେଡିସିନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କର  ରକ୍ତଚାପ ବୃଦ୍ଧି ପାଇଥିଲା। ଶଯ୍ୟା ନ ମିଳିବାରୁ ତାଙ୍କୁ ଚଟାଣରେ ଶୁଆଇ ସାଲାଇନ ଲଗା ଯାଇଥିଲା। ତାଙ୍କୁ ଜଗିଥିବା ତାଙ୍କ ଭଣଜାଙ୍କୁ ନିଦ ଲାଗିବାରୁ ସେ  ଶୋଇପଡ଼ିଥିଲେ। ଭୋର୍‌ ପ୍ରାୟ ୪ଟା ସମୟରେ ଦୁର୍ଯ୍ୟୋଧନ ୪ ମହଲାରୁ ଡେଇଁ ପଡ଼ିଥିଲେ। ସେ ତଳେ ଥିବା ଲୁହା ଗ୍ରୀଲ୍‌ ଉପରେ ପଡ଼ିବାରୁ ଏହା ତାଙ୍କ ଦେହରେ ଗଳି ଯାଇଥିଲା। ପାଟି ତୁଣ୍ଡ ଶୁଣି ତାଙ୍କ ଭଣଜା ନିଦରୁ ଉଠି ଦୁର୍ଯ୍ୟୋଧନଙ୍କୁ ଖୋଜାଖୋଜି କରି ତଳକୁ ଯାଇ ଦେଖନ୍ତି ତ ସେ ମରି ପଡ଼ିଛନ୍ତି। ଖବର ପାଇ ତାଙ୍କ ପରିବାର ଲୋକେ ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିଛନ୍ତି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଗତ ଦୁଇ ବର୍ଷ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାରୁ ଡେଇଁ ୪ ଜଣ ରୋଗୀ ମୃତ୍ୟୁବରଣ କଲେଣି।

ଗତ ୧୩ ତାରିଖରେ ମଧ୍ୟ ପରଜଙ୍ଗ ଅଞ୍ଚଳର ଜଣେ ରୋଗୀ ମୁଖ୍ୟ ଚିକିତ୍ସାଳୟର ୫ ମହଲାରୁ ଡେଇଁ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

Related Articles

Back to top button