ଶେଷରେ ଖୋଲିଲା ରତ୍ନଭଣ୍ଡାର : ଭଙ୍ଗା ହେଲା ତାଲା

ଭାଙ୍ଗିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ତାଲା । ରବିବାର ୧୧ ଜଣିଆ ଟିମ୍ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ ମିନିଟରେ ରତ୍ନ ଭଣ୍ଡାର ଭିତରକୁ ଯାଇଥିଲେ । ବାହାର ତାଲା ଖୋଲାଯାଇ ଟିମ୍ ଭିତରକୁ ଯାଇଥିଲା । ତେବେ ଭିତର ରତ୍ନ ଭଣ୍ଡାର ତାଲା ଚାବିରେ ନଖୋଲିବାରୁ ତାଲା ଭଙ୍ଗାଯାଇ ଭଣ୍ଡାର ଖୋଲାଯାଇଛି । ଏନେଇ ପାଳିଆ ସେବାୟତ ନରେଶ କର ସୂଚନା ଦେଇଛନ୍ତି । ଭିତରେ ବଡ ବଡ ମୂଷା ଗର୍ତ୍ତ ରହିଥିବା ଦେଖିବାକୁ ମିଳିଛି । ୧୧ ଜଣିଆ ସଦସ୍ୟ ପ୍ରାୟ ୨ ଘଣ୍ଟା ଭିତରେ ତନଖି କରିବା ପରେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ଖୋଲିଥିବା ସୂଚନା ଦେଇଛନ୍ତି । ତେବେ ଆଜି ରତ୍ନଭଣ୍ଡାର ଯାଞ୍ଚ ହେବାର ହିଁ ଯୋଜନା ରହିଥିଲା । ରତ୍ନ ଅଳଙ୍କାର ଗଣତି ନେଇ କୌଣସି ଯୋଜନା ନଥିଲା । ତେଣୁ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗିବା ପରେ ତାକୁ ସିଲ୍ କରିଦିଆଯାଇଛି । ପୁଣି ଏକ ତାରିଖ ନିର୍ଦ୍ଧାରିତ କରି ଆଗାମୀ ପଦକ୍ଷେପ ନିଆଯିବ । ଅନ୍ୟପଟେ ରତ୍ନ ଭଣ୍ଡାର ବାହାର ସ୍ନେକ ହେଲ୍ପ ଲାଇନର ପ୍ରାୟ ୧୨ ଜଣ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ରହିଥିଲା । ଆବଶ୍ୟକ ପଡିଲେ ସେମାନଙ୍କୁ ଭିତରକୁ ଡକାଯାଇଥାନ୍ତା । ତେବେ ଆଜି ସେମାନଙ୍କୁ ଭିତରକୁ ଡକାଗଲାନି । ଅନ୍ୟପଟେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ରତ୍ନ ଭଣ୍ଡାରର ବାହାର ତାଲା ଖୋଲିବା ପରେ ମିଳିଥିବା ସମସ୍ତ ଅଳଙ୍ଗାରକୁ ସ୍ଥାନାନ୍ତର କରାଯାଇଛି । ଅସ୍ଥାୟୀ ରତ୍ନ ଭଣ୍ଡାରରେ ଏହାର ଗଣତି ମଣତି ହେବ ।

Related Articles

Back to top button