ରଥଯାତ୍ରାରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆସନ୍ତା ରଥଯାତ୍ରାରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ମରାମତି କରାଯିବ ।

ସୂଚନା ଅନୁସାରେ , ଗତ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତା ରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏପରିକି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ଦ୍ବାରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଆଗତ ହୋଇଥିଲା । ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ପରିଚାଳନା କମିଟିର ସମସ୍ତ ନିଷ୍ପତ୍ତି ଠିକ୍ ବୋଲି ଦର୍ଶାଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଥିଲେ । ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ଏକ ପ୍ରତିନିଧି ଦଳ ଗଜପତି ମହାରାଜଙ୍କୁ ଭେଟିଥିଲେ । ଗଜପତି ମହାରାଜ କହିଥିଲେ ଯେ , ଗତ ଅଗଷ୍ଟରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଛି । ରତ୍ନଭଣ୍ଡାର ଖୋଲିବା ରଥଯାତ୍ରା ହିଁ ସଠିକ ସମୟ ଅଟେ । କାରଣ ଏହାପରେ କିଛି ମାସ ମଧ୍ୟରେ ସେମିତି କିଛି ପର୍ବପର୍ବାଣୀ ନାହିଁ । ବର୍ତମାନ ସମୟରେ ରତ୍ନଭଣ୍ଡାର ଖୋଲିବା ଉଚିତ୍‌ ହେବ ନାହିଁ । କାରଣ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ମରାମତି ଓ ଗଣତି କରାଯିବା ଉଚିତ ନୁହେଁ ।

ଏହାର ମରାମତି କାର୍ଯ୍ୟ କରାଗଲେ ଶ୍ରୀମନ୍ଦିର ଏହି ସମୟରେ ଅନୁଷ୍ଠିତ ହେଉଥିବା ଅନେକ ମୁଖ୍ୟ ପର୍ବପର୍ବାଣି ରେ ମହାପ୍ରଭୁଙ୍କ ନୀତିକ୍ରାନ୍ତି ଓ ସେବାକୁ ପ୍ରଭାବିତ କରିବ । ଏଥିସହ ଏହି ସମୟରେ ଶ୍ରୀମନ୍ଦିରରେ ଅଧିକ ଭକ୍ତଙ୍କ ସମାଗମ ହେଉଥିବା ଦୃଷ୍ଟିରୁ ଏହା ଦର୍ଶନରେ ମଧ୍ଯ ଅସୁବିଧା ସୃଷ୍ଟି କରିପାରେ । କାରଣ ରତ୍ନଭଣ୍ଡାର, ଜଗମୋହନ ଏବଂ ଗର୍ଭଗୃହ ସଂଲଗ୍ନ ପରିସରର ଅନ୍ତର୍ଭୁକ୍ତ ଅଟେ । ସେହିପରି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକ ଯଥାଶୀଘ୍ର ରତ୍ନଭଣ୍ଡାର କାନ୍ଥର ଲେଜର୍‌ ସ୍କାନିଂ କରିବେ । ବର୍ତ୍ତମାନ ରତ୍ନଭଣ୍ଡାରର ସ୍ଥିତି ପରଖିବା ପାଇଁ ଏହି ସ୍କାନିଂ ଭିତର ବେଢ଼ା ପଟୁ କରାଯିବ । ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଗଠିତ ସ୍ବତନ୍ତ୍ର କମିଟିର ତତ୍ତ୍ଵାବଧାନରେ ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତିର ମରାମତି ଓ ଗଣତି ଏବଂ ତାଲିକା ପ୍ରସ୍ତୁତି କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଶ୍ରୀମନ୍ଦିର ଅଧିନିୟମ ୧୯୬୦ର ଧାରା ୬ ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ସରକାର ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯାଇଛି ।

Related Articles

Back to top button