
ନବଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଲା କିଛି ଚାଞ୍ଚଲ୍ୟକର ତଥ୍ୟ। ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଉଲ୍ଲେଖ ଅଛି । ନବ ଦାସ ଙ୍କୁ ହତ୍ୟା କରିବା ପାଇଁ ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ। ଏଥିସହ ସେ ସେଠାରେ ଲଣ୍ଡା ହୋଇ ନିକଟ ଭବିଷ୍ୟତରେ ନବ ଦାସଙ୍କୁ ମାରିବାକୁ ଶପଥ ନେଇଥିଲେ। ମାତ୍ର ଏଥିନିମନ୍ତେ ବାରମ୍ବାର ପ୍ରୟାସ କରି ସେ ବିଫଳ ହୋଇଥିଲା । ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲା ଗୋପାଳ। ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଲରେ ଗୁଳି ଲୋଡ୍ କରି ବି ରଖିଥିଲା। ହତ୍ୟାର କାରଣ ସମ୍ପର୍କରେ ଚାର୍ଜସିଟ୍ରେ ସମ୍ୟକ ତଥ୍ୟ ରଖିଛି କ୍ରାଇମବ୍ରାଞ୍ଚ ।
ଚାର୍ଜସିଟ୍ରେ ଉଲ୍ଲେଖ ଥିବା କାରଣ ଅନୁଯାୟୀ, ଗୋପାଳ ବଡ଼ମାଲ ଥାନାରେ ଥିବାବେଳେ ଅନେକ ସମୟରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ। ନିର୍ବାଚନ ବେଳେ ଦିନେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଯାଞ୍ଚ କରିଥିଲା ଗୋପାଳ। ନବଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଓ ସମର୍ଥକଙ୍କ ଧମକ ପାଇ ଭୟଭୀତ ହୋଇ ଯାଇଥିବା ଗୋପାଳ ଦାସ ଗାଡ଼ି ଚେକିଂ ନ କରି ଛାଡ଼ି ଦେଇଥିଲେ। ଏହି ଘଟଣା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରିଥିଲା ଗୋପାଳ ଦାସ । ଏପରିକି ନବ ଦାସଙ୍କ ସମର୍ଥକ ତାଙ୍କୁ ଜୀବନରୁ ମାରି ଦେବେ ବୋଲି ତାଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ନିଜେ ମରିବା ପୂର୍ବରୁ ନବ ଦାସଙ୍କୁ ମାରିବା ପାଇଁ ଗୋପାଳ ମନସ୍ଥ କରି ଏହି କାଣ୍ଡ ଭିଆଇଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ରେ ଉଲ୍ଲେଖ ଅଛି।