ସୁଭଦ୍ରା ସଂଶୋଧନ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ ମୋହର

ରାଜ୍ୟ କ୍ୟାବିନେଟରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ମହିଳାଙ୍କ ପାଇଁ ଖୁସି ଖବର ଆସିଛି । କ୍ୟାବିନେଟରେ ସୁଭଦ୍ରା ଯୋଜନାର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର କରାଯିବ । ଏଯାବତ ମୋଟ୍ ୧ କୋଟି ୨ ଲକ୍ଷ ଆବେଦନ ଆସିଛି । ୬୦ ଲକ୍ଷ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇ ସାରିଛନ୍ତି ।

ସେହିପରି ବୈଠକରେ ଜିଏସଟି ଆକ୍ଟରେ ସଂଶୋଧନ, ବିଧାନସଭା ଅଧିବେଶନ ନ ଥିବାରୁ ଅଧ୍ୟାଦେଶକୁ ମଞ୍ଜୁରି ମିଳିଛି । ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୪-୨୫କୁ ଅନୁମୋଦନ ମିଳିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ୩୧୦୦ ଟଙ୍କା ବୃଦ୍ଧି ପ୍ରସ୍ତାବ ଅନୁମୋଦିତ ହୋଇଛି । ଚାଷୀମାନେ କିପରି ସହଜରେ ଧାନ ବିକ୍ରି କରିପାରିବେ ସେଥିପାଇଁ ୪୦୦୦ରୁ ଉର୍ଦ୍ଧ୍ୱ କ୍ରୟ କେନ୍ଦ୍ର ଖୋଲାଯିବ । କଟନୀ ଛଟନୀ ରୋକିବାକୁ ଅଫିସରମାନେ ତଦାରଖ କରିବେ । ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦିଆଯିବ ଏଥିରେ ୧୭ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ୮୦ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି । ଏହା ସହିତ କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନା ମାଧ୍ୟମରେ ଏୟାର ସଂଯୋଗୀକରଣ ବଢାଇବାକୁ ସବସିଡି ପଲିସି ଓ ଓପିଏସସି ଅଧ୍ୟକ୍ଷ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଆଜିର କ୍ୟାବିନେଟ୍ ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହ ଦେଓ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button